ଗୋଟିଏ ନିରୋଳା ମଜା ଗପ କହୁଥିଲେ ୟୁ.ଜି. କୃଷ୍ଣମୂର୍ତ୍ତି।
ନସିରୁଦ୍ଦିନଙ୍କ ପତ୍ନୀ ଗୁଲଜାନ କ୍ରମେ ପୃଥୁଳାକାୟା ହୋଇଯିବାରୁ ବ୍ୟସ୍ତ ହୋଇ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଲେ। ବିଶେଷଜ୍ଞ କହିଲେ- ଏମିତି କର। ଜଣେ ସୁନ୍ଦରୀ ସିନେମା ହିରୋଇନଙ୍କ ଫଟୋ ତୁମ ଫ୍ରିଜ୍ ଭିତରେ ଝୁଲାଇ ଦେବାର ବ୍ୟବସ୍ଥା କର। କାରଣ, ଯେତେବେଳେ ବି କିଛି ଅଧିକ ଖାଇବା ଲାଗି ମନ କରି ତୁମେ ଫ୍ରିଜ୍ ଖୋଲିବ, ସେତିକି ବେଳେ ସେହି ହିରୋଇନଙ୍କ ସୁନ୍ଦର ଶରୀରାକୃତି ତୁମକୁ ସଚେତନ କରିବ। ଏବଂ ତୁମେ ଆଇସକ୍ରିମ ଖାଇବ ନାହିଁ କି ଥଣ୍ଡା ମୃଦୁ ପାନୀୟ ପିଇବ ନାହିଁ। ଫଳରେ ତୁମେ ପତଳା ହେବା ନିଧାର୍ଯ୍ୟ।
ଗୁଲଜାନ ସେମିତି କଲେ। ଏବେ ଗୁଲଜାନଙ୍କୁ ଫ୍ରିଜ୍ ଖୋଲିବା ମାତ୍ରକେ ଲାଗିଲା ସତେ ଯେମିତି ସେହି ହିରୋଇନ୍ କହୁଛନ୍ତି- ଏ କ’ଣ କରୁଛ? ଏ ସବୁ ବାଜେ ଜିନିଷ ଖାଅ ନାହିଁ।
ସୁତରାଂ, ଯାହା ହେବ ବୋଲି ଆଶା କରାଯାଉଥିଲା ସେମିତି ହେଲା। ଗୁଲଜାନ କ୍ରମେ ତନୁପାତଳୀ ହେବାକୁ ଲାଗିଲେ।
କିନ୍ତୁ ନସିରୁଦ୍ଦିନ ମୋଟା ହୋଇଯାଉଥିଲେ। ଗୁଲଜାନ କହିଲେ- ୟେ କ’ଣ? ତୁମେ ତ କାଠି ଭଳି ପତଳା ଥିଲ, ଏବେ ମୋଟା ହଉଚ କେମିତି?
ନସିରୁଦ୍ଦିନ କହିଲେ- ସେ କଥା କୁହନା। ଯେବେ ଠାରୁ ତୁମେ ସେହି ଅପରୂପ ନାୟିକାଙ୍କ ଫଟୋ ଲଗାଇଛ, ମୁଁ ବାରମ୍ବାର ତାଙ୍କୁ ଦେଖିବାକୁ ଫ୍ରିଜ୍ ଖୋଲୁଛି ଏବଂ ପ୍ରତି ଥର ନିଜକୁ ନିୟନ୍ତ୍ରଣ କରି ନ ପାରି ଏଣୁତେଣୁ ଖାଇ ଦେଉଛି। ତେଣୁ ଦୟା କରି ସେହି ଫଟୋକୁ ଆଜି ହଟାଇ ଦିଅ।