ମୁଲ୍ଲାଙ୍କ ଜ୍ଞାନୋଦୟ

କଥାଟିଏ - ଯାଯାବର

ଥରେ ମୁଲ୍ଲା ନସିରୁଦ୍ଦିନ ଘର ବାରଣ୍ତାରେ ବସିଥିବା ବେଳେ ଦେଖିଲେ ଜଣେ ବୁଢ଼ା ତା’ର ଖଚର ପିଠିରେ ବସି କୁଆଡ଼େ ଯାଉଛି। ବୁଢ଼ାର ପାକୁଆ ପାଟିରେ ଖାଲି ହସର ଲହରି। ମୁଲ୍ଲା ଆଉ ନିଜର ଉତ୍କଣ୍ଠା ସମ୍ଭାଳି ନ ପାରି ବୁଢ଼ାକୁ ପଚାରିଲେ- ମଉସା, ଆଜି ଭାରି ଖୁସି! କଥା କ’ଣ?

ବୁଢ଼ା ଆଖି ମିଟିକା ମାରି କହିଲା- ଖଚର ପିଠିରେ ବସି ଯିବାରେ ମଜା ଲାଗୁଛି।

ବୁଢ଼ାର ଉତ୍ତରରୁ ମୁଲ୍ଲା କିଛି ବୁଝିପାରିଲେ ନାହିଁ। ସେ ଭାବିଲେ- ମୁଁ ତ ପିଲା ଦିନରୁ ଖଚର ପିଠିରେ ବସି ଦୁନିଆ ବୁଲୁଛି, ମୋତେ ତ କାହିଁ ମଜା ଲାଗୁନି!
ସେ ଏଇ କଥା ବୁଢ଼ାକୁ ପଚାରିବାରୁ ବୁଢ଼ା କହିଲା- ବେଳ ଆସିଲେ ବୁଝିବୁରେ ପୁଅ!

ମୁଲ୍ଲା ଏଥର ବି କିଛି ବୁଝିପାରିଲେ ନାହିଁ। ତାଙ୍କ ପାଖରେ ଥିଲା ଗୋଟିଏ ଭଲ ଖଚର। ତା’ ଉପରେ ଭଲ ଗଦି ପକାଇ ବସି ବୁଲିଲେ କାଳେ ମଜା ମିଳିବ ବୋଲି ଭାବିଲେ, କିନ୍ତୁ ମିଳିଲା ନାହିଁ।

ଦିନେ ହଠାତ୍‌ ମୁଲ୍ଲାଙ୍କ ଖଚରଟି ଚୋରି ହୋଇଗଲା। ମୁଲ୍ଲା ମୁଣ୍ତରେ ହାତ ଦେଇ ବସିଲେ। ଏବେ ନୂଆ ଖଚର କିଣିବା ଲାଗି ତାଙ୍କ ପାଖରେ ପଇସା ନ ଥିଲା। ଏଣୁ ସେ ଭୀଷଣ ମନସ୍ତାପରେ ରହିଲେ ଏବ˚ ଖାଲି ପାଦରେ ଯିବା ଆସିବା କଲେ। ଖଚର କଥା ଭାବି ଭାବି ସେ ଦୀର୍ଘଶ୍ବାସ ପକାଇବାରେ ଲାଗିଲେ।

ଏମିତି ମନ ଦୁଃଖରେ ଥିବା ବେଳେ ଦିନେ ସକାଳେ ଖଚର ଆସି ଘର ଦୁଆରେ ଉଭା ହେଲା। ମୁଲ୍ଲାଙ୍କ ଆନନ୍ଦ ଦେଖେ କିଏ? ଖଚରକୁ ଗେଲ କରିପକାଇ ତା’ ଉପରେ ବସି ସେ ଗାଁ ଭିତରେ ଘୂରି ବୁଲିଲା ବେଳକୁ ତାଙ୍କର ଜ୍ଞାନୋଦୟ ହେଲା। ସେ ବୁଝି ପାରିଲେ ଯେ ଖଚର ପିଠିରେ ବସି ବୁଲିଲେ କି ମଜା ମିଳେ!

ସମ୍ବନ୍ଧିତ ଖବର