ଗୋଟିଏ ଗାଁର ଲୋକ କେବେ ସହର ଯାଇ ନ ଥିଲେ। କାରଣ ଗାଁ ଓ ସହର ଭିତରେ ଥିଲା ଏକ ନିଘଞ୍ଚ ଜଙ୍ଗଲ, ଯାହାକୁ ପାର କରିବା ଅସମ୍ଭବ ଭଳି ଲାଗୁଥିଲା। କିନ୍ତୁ ଗାଁର ଗୋଟାଏ ଗଧକୁ ସେମିତି ଲାଗିଲା ନାହିଁ। ସେ ଜଙ୍ଗଲ ଭିତରେ ପଶି ବୁଲି ବୁଲି ତାକୁ ପାର ହୋଇ କୌଣସିମତେ ସହରରେ ପହଞ୍ଚିଲା।
ଏବେ ତା’ର ନାମ ଡାକ ହୋଇଗଲା। ଏହା ଦେଖି ଗାଁର କିଛି କୁକୁର ଗଧର ପଦଚିହ୍ନ ଶୁଂଘି ଶୁଂଘି ସେଇ ବାଟେ ସହରରେ ପହଞ୍ଚିଲେ। ତା’ ପରେ ଗାଁର ଅନ୍ୟ ପଶୁ ବି ସହର ଗଲେ ଏବଂ କ୍ରମେ ଜଙ୍ଗଲ ଭିତରେ ଗୋଟିଏ ପାଦ ଚଲା ରାସ୍ତା ଫିଟିଗଲା। ଏବେ ଗାଁ ବାଲାଏ ବି ସେଇ ବାଟେ ସହରରେ ପହଞ୍ଚିଲେ।
ରାଜ୍ୟର ରାଜା ଏହା ଶୁଣି କହିଲେ- ଏମିତି କଥା ଯଦି, ଚାଲ ଜଙ୍ଗଲ ଭିତର ଦେଇ ଭଲ ରାସ୍ତାଟିଏ କରି ଦେବା।
କିଛି ଦିନ ପରେ ରାସ୍ତାର ନକ୍ସା କରିବାକୁ କିଛି ଲୋକ ଗାଁରେ ପହଞ୍ଚିଲେ। ସେମାନେ ଏପଟ ସେପଟ ବୁଲି ବହୁତ କିଛି ବିଚାର କଲେ। ସେମାନଙ୍କୁ ସାହାଯ୍ୟ କରିବା ଲାଗି ଗାଁ ମୁଖିଆ କହିଲେ- ଆଜ୍ଞା, ଆମେମାନେ ଚାଲି ଚାଲି ଗୋଟିଏ ସରୁ ରାସ୍ତା କରି ଦେଇଛୁ। ଆପଣ ଯଦି ଚାହାନ୍ତି ତେବେ ଆମେ ଆପଣଙ୍କୁ ତାହା ଦେଖାଇ ଦେବୁ।
ସେହି ଲୋକମାନେ ପଚାରିଲେ- ସେ ରାସ୍ତା ହେଲା କେମିତି କୁହ!
ଗାଁ ମୁଖିଆ ସେଇଠୁ ଗଧର ସହର ବୁଲା କଥା କହିଲେ।
ଏହା ଶୁଣି ସେମାନେ କହିଲେ- ତାହା କହୁନା? ସେଇ ରାସ୍ତାଟି ଗଧ ଦ୍ବାରା ତିଆରି ହୋଇଥିବାରୁ ତାହା ହେଉଛି ଗାଁ ଓ ସହର ଭିତରେ ବୋଧହୁଏ ସବୁଠାରୁ ଲମ୍ବା ରାସ୍ତା। କାରଣ ଗଧ ଜଙ୍ଗଲ ଭିତରେ କୁଆଡ଼େ କୁଆଡ଼େ ବୁଲି ବୁଲି ସହରରେ ପହଞ୍ଚିଥିଲା। ଦୁଃଖର କଥା ତୁମେମାନେ ମଣିଷ ହୋଇ ବି ଗଧ ତିିଆରି ରାସ୍ତାରେ ଏ ପର୍ଯ୍ୟନ୍ତ ଚାଲୁଥିଲ!