ସ˚କଟର ପରୀକ୍ଷା

କଥାଟିଏ - ଯାଯାବର

ଗୋଟିଏ ଗାଁରେ ଥିଲେ ଜଣେ ଚାଷୀ। ପ୍ରତି ବର୍ଷ ସେ ଭଲ ଫସଲ ଅମଳ କରୁଥିଲେ। କେବଳ ସେତିକି ନୁହେଁ ସେ ଯେଉଁ ଶସ୍ୟ ଉତ୍ପାଦନ କରୁଥିଲେ, ତାର ମାନ ଥିଲା ସେଇ ଖଣ୍ତମଣ୍ତଳର ଅନ୍ୟ ଚାଷୀମାନଙ୍କ ଠାରୁ ବହୁତ ଭଲ। ଚାଷୀ ମଧୢ ଥିଲେ ଈଶ୍ବରୀୟ ଗୁଣ ସ˚ପନ୍ନ। ସେ ଗାଁର ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। ସମସ୍ତଙ୍କ ବିପଦଆପଦରେ ଛିଡ଼ା ହେଉଥିଲେ। ଦୟା, କ୍ଷମା, ଧୈର୍ଯ୍ୟଶୀଳତା ଭଳି ଗୁଣ ହେତୁ ସେ ଅଞ୍ଚଳର ଲୋକେ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ।

କିନ୍ତୁ ତାଙ୍କୁ ପ୍ରବଳ ଈର୍ଷା କରୁଥିଲେ ତାଙ୍କ ପଡ଼ୋଶୀ। ଦିନେ ଈର୍ଷାଳୁ ପଡ଼ୋଶୀ ଚକ୍ରାନ୍ତ କରି ନିଶାର୍ଦ୍ଧରେ ଚାଷୀଙ୍କ ଅମାରରେ ନିଆଁ ଲଗାଇ ଦେଲେ। ନିଆଁରେ ଅମାର ସମେତ ତାଙ୍କ ଘରଦ୍ବାର ସବୁ କିଛି ଜଳି ଭସ୍ମୀଭୂତ ହୋଇଗଲା। କ୍ଷଣିକ ଭିତରେ ସେ ଭିକାରି ହୋଇଗଲେ।

କିନ୍ତୁ ତାଙ୍କର ସାହସ ଅତୁଟ ଥିଲା। ସେ ଜାଣିଥିଲେ ଯେ ବିପଦଆପଦରେ ସେ କରିଥିବା ସାହାଯ୍ୟର ପ୍ରତିଦାନ ତାଙ୍କୁ ଏବେ ମିଳିବ। ତାହା ହିଁ ହେଲା। ଗାଁ ଲୋକେ ଲାଗି ପଡ଼ି ତାଙ୍କ ଘର ଛପର କରି ଦେଲେ। ଲୋକଙ୍କ ଦରକାର ବେଳେ ସେ ଯେମିତି ବିହନ ସାହାଯ୍ୟ କରୁଥିଲେ ଏବେ ତାହା ତାଙ୍କୁ ମିଳିଲା। ଗାଁ ଲୋକେ ବି ତାଙ୍କୁ ପୁଣି ଥରେ ସାହସ ଜୁଟାଇ ଚାଷ କରିବାରେ ସାହାଯ୍ୟ କଲେ। ପୁଣି ତାଙ୍କର ଜମିରେ ଫସଲ ହସି ଉଠିଲା। ସେ ପୁଣି ନିଜକୁ ସମ୍ଭାଳି ଆଗେଇ ଚାଲିଲେ।

ପଡ଼ୋଶୀ ଏଥିରେ ଆହୁରି ଈର୍ଷାନ୍ବିତ ହେଲେ। କିନ୍ତୁ ତାଙ୍କ ପତ୍ନୀ କହିଲେ- ଆଉ ସେଭଳି କାମ କରନାହିଁ। ଦେଖିଲ ତ ତୁମ ଚକ୍ରାନ୍ତ ତାଙ୍କୁ ନିଜ ସାହସ ଓ ଧୈର୍ଯ୍ୟର ପରୀକ୍ଷା ନେବାରେ କେମିତି ସାହାଯ୍ୟ କଲା! ସେ ସ˚କଟରୁ ଉତ୍ତୀର୍ଣ୍ଣ ହୋଇ ଆହୁରି ଶକ୍ତ ମଣିଷରେ ପରିଣତ ହୋଇଛନ୍ତି। ତେଣୁ ଏବେ ତୁମେ ନିଜକୁ ବଦଳାଅ।

ସମ୍ବନ୍ଧିତ ଖବର