ନି ଥଙ୍ଗ ଓ ୟାସୁକୁ

କଥାଟିଏ - ଯାଯାବର

ଜେନ୍‌ ଗୁରୁ ନି ଥଙ୍ଗଙ୍କ ପ୍ରଚୁର ସୁନାମ ଥିଲା। ତାଙ୍କର ସବୁଠାରୁ ପ୍ରିୟ ଶିଷ୍ୟ ୟାସୁକୁ ମଧ୍ୟ ପରେ ନି ଥଙ୍ଗଙ୍କ ପରି ପ୍ରସିଦ୍ଧ ‌ଜେନ୍‌ ଗୁରୁ ହେଲେ।

ଏହି କଥାଟି ନି ଥଙ୍ଗ ଓ ୟାସୁକୁଙ୍କୁ ନେଇ। ଦିନେ ଜଣେ ଧନୀ ବଣିକ ନି ଥଙ୍ଗଙ୍କୁ ଦେଖା କରିବାକୁ ଆସିଲେ। ବିଦାୟ ନେଇ ଗଲାବେଳେ ସେ ନି ଥଙ୍ଗଙ୍କୁ ଉପହାର ସ୍ବରୂପ ଗୋଟିଏ ମୁଣି ଦେଇ ଚାଲିଗଲେ। ସେ ଯିବା ପରେ ନି ଥଙ୍ଗ ଅନ୍ୟମନସ୍କ ଭାବେ ତାକୁ ଥୋଇ ଦେଲେ। ତେବେ, କିଛି ସମୟ ପରେ ତା ଉପରେ ନଜର ପଡ଼ିଯିବାରୁ ସେ ସଂବିତ ଫେରି ପାଇ ମୁଣିକୁ ଖୋଲି ଦେଖନ୍ତି ତ ତା ଭିତରେ ରହିଛି ଅନେକ ସୁନା ମୋହର। ନି ଥଙ୍ଗ ଥିଲେ ସଂପୂର୍ଣ୍ଣ ବୈରାଗୀ। ତାଙ୍କର କୌଣସି ଜିନିଷ ପ୍ରତି ତିଳେ ହେଲେ ଲୋଭ ନ ଥିଲା। କିନ୍ତୁ ସେ ଭାବିଲେ ଯଦି ଏହା ଉପରେ ୟାସୁକୁଙ୍କ ନଜର ପଡ଼ି ତାଙ୍କ ମନରେ ଲୋଭ ଜାତ କରାଇବ, ତେବେ ତାହା ଭଲ ହେବନାହିଁ। ତେଣୁ ସେ ସେହି ମୁଣିକୁ ଲୁଚାଇ ଦେବାକୁ ସ୍ଥିର କଲେ। ତେବେ, ନି ଥଙ୍ଗ ତାକୁ ଲୁଚାଉଥିବା ବେଳେ ୟାସୁକୁ ଦେଖିଦେଲେ। ସେ ପଚାରିଲେ- ମହାଭାଗ, ଆପଣ କ’ଣ ଲୁଚାଉଛନ୍ତି?

ନି ଥଙ୍ଗଙ୍କ ପାଟିରୁ ମିଛ ବାହାରୁ ନ ଥିଲା। ତେଣୁ ସେ ସତ କହିଦେଲେ ଏବଂ କହିଲେ- ଏହା ମୁଁ ମୋ ପାଇଁ କରୁ ନ ଥିଲି। କାଳେ ଏହା ତୁମ ଆଖିରେ ପଡ଼ିଯାଇ ଲୋଭର କାରଣ ହେବ, ସେଇ ଆଶଙ୍କାରେ ଏହା କରୁଥିଲି।

ୟାସୁକୁ କହିଲେ- ମହାଭାଗ, ଆପଣଙ୍କୁ ଏହା ସୁନା ଭଳି ଏ ଯାଏଁ ଦିଶୁଛି? ମୋତେ ତ ଏ ସବୁ ଆଉ ସୁନା ଭଳି ଦିଶୁ ହିଁ ନାହିଁ!

ନି ଥଙ୍ଗ ଆଉ ସମ୍ଭାଳି ପାରିଲେ ନାହିଁ। ୟାସୁକୁଙ୍କୁ ସ୍ନେହ ଓ ଖୁସିରେ ଆଲିଙ୍ଗନ କଲେ।

ସମ୍ବନ୍ଧିତ ଖବର