ଜେନ୍ ଗୁରୁଙ୍କୁ ତାଙ୍କ ଶିଷ୍ୟ ପଚାରିଲା- ଆଜ୍ଞା, ଆପଣ ତ ଜଣେ ମହାନ ଗୁରୁ। ହେଲେ ଆପଣଙ୍କ ଗୁରୁ କିଏ?
ଗୁରୁ କହିଲେ- ମୋର ଅସଂଖ୍ୟ ଗୁରୁ। ସେମାନଙ୍କ ନାମ କହିଲେ ରାତି ପାହିଯିବ। ତେବେ ଦୁଇ ଜଣଙ୍କ କଥା କହିବି।
ଜଣେ ଗୋଟିଏ ଚୋର। ଥରେ ଏକ ସହରରେ ବିଳମ୍ବିତ ରାତିରେ ମୋତେ କେହି େଯତେବେଳେ ଆଶ୍ରୟ ନେବାକୁ ଅନୁମତି ଦେଲେ ନାହିଁ, ଘରକୁ ଫେରୁଥିବା ଏହି ଚୋର ମୋତେ ତାଙ୍କ ଘରେ ଆଶ୍ରୟ ଦେଇ ଅନେକ ତତ୍ତ୍ବ ନେଇଥିଲେ। ସେଥିରେ ମୁଗ୍ଧ ହୋଇ ମୁଁ ତାଙ୍କ ଘରେ ଅନେକ ଦିନ ରହିଗଲି। ତାଙ୍କ ଠାରୁ ଜାଣିଲି ମଣିଷକୁ ତାର ବୃତ୍ତି ବଡ଼ କରେ ନାହିଁ, ବଡ଼ କରେ ତାର ଗୁଣ।
ଦ୍ବିତୀୟ ଗୁରୁ ଜଣେ ବାଳକ। ଥରେ ଅନ୍ଧାର ରାତିରେ ହାତରେ ବତିଟିଏ ଧରି ସେ ଯାଉଥିବା ବେଳେ ମୁଁ ମୋ ଜ୍ଞାନର ବଡ଼ିମା ଦେଖାଇବା ଲାଗି କୌତୁକରେ ପଚାରିଲି- କହିପାରିବ ଏହି ବତିର ଆଲୋକ ଆସିଲା କେଉଁଠୁ?
ବାଳକ ତତ୍କ୍ଷଣାତ୍ ଫୁଙ୍କି ବତିକୁ ଲିଭାଇ ଦେଇ କହିଲା- ଆପଣ କହି ପାରିବେ କି ଏ ଆଲୋକ ଗଲା କୁଆଡ଼େ? ତାହା ଯେଉଁଠୁ ଆସିଥଲା, ସେଠାକୁ ଫେରିଗଲା।
ଏତିକିେର ମୋ ଜ୍ଞାନର ଅହଂକାର ତୁଟି ଗଲା। ମୁଁ ବୁଝି ପାରିଲି ଶାସ୍ତ୍ରରୁ ଆହରିତ ଜ୍ଞାନକୁ ନିର୍ବାକ କରିପାରିବ ଶିଶୁସୁଲଭ ପ୍ରଜ୍ଞା।