ଥରେ ସନ୍ଥ ଫରିଦ ଏବଂ ତାଙ୍କ ଶିଷ୍ୟମାନେ ଗୋଟିଏ ରାଜ୍ୟରେ ପହଞ୍ଚିଲେ। ସନ୍ଥ ଫରିଦ ଦିଶୁଥିଲେ ଜଣେ ଭିକ୍ଷୁକତୁଲ୍ୟ। ଯେଉଁ ରାଜ୍ୟରେ ସେ ପହଞ୍ଚିଲେ ସେ ରାଜ୍ୟର ରାଜା ଥିଲେ ଗୁଣୀ। ଯଦିଓ ସେ ଫରିଦଙ୍କ ବିଷୟରେ ଆଗରୁ ଶୁଣି ନ ଥିଲେ, ତଥାପି ଜଣେ ଫକୀର ଆସିଛନ୍ତି ଶୁଣି ନିଜେ ଦୌଡ଼ି ଆସିଲେ ଓ ତାଙ୍କୁ ଅଭ୍ୟର୍ଥନା ଜଣାଇଲେ।

Advertisment

ଅପରାହ୍‌ଣରେ ଫରିଦ ଉଦ୍ୟାନରେ ବୁଲିବା ଲାଗି ବାହାରିଲେ। ଖୋଦ୍ ରାଜା ତାଙ୍କ ସହିତ ଗଲେ। ଖରା ହେଉଥିବାରୁ ରାଜା ଫରିଦଙ୍କ ଉପରେ ଛତାଟିଏ ଟେକି ଧରି ପଛେ ପ‌େଛ ଚାଲିଲେ।

ସଂଧ୍ୟା ପ୍ରାର୍ଥନା ପରେ ଯେତେବେଳେ ଫରିଦଙ୍କ ପାଖରେ ଶିଷ୍ୟମାନେ ଏକାଠି ବସିଲେ ଏବଂ ସେମାନଙ୍କ ଭିତରେ କଥାବାର୍ତ୍ତାର ପର୍ବ ଆରମ୍ଭ ହେଲା, ଜଣେ ଶିଷ୍ୟ କହିଲା- ମୁଁ ଏବେ ବୁଝୁଛି ଆପଣଙ୍କ ଭଳି ସନ୍ଥଙ୍କ ମହତ୍ତ୍ବ। ଆପଣଙ୍କ ନିକଟରେ କିଛି ନାହିଁ। ଅଥଚ, ଜଣେ ରାଜା ଆପଣଙ୍କ ଉପରେ ଛତା ଟେକି ଆପଣଙ୍କ ସାହଚର୍ଯ୍ୟ ଦେଉଥିବାର ଆମେ ଦେଖିଲୁ। ଏଥିରୁ ବୁଝିଲୁ ସତରେ ଆପଣ କେଉଁ ସ୍ତରରେ ପହଞ୍ଚିଛନ୍ତି। ଆପଣଙ୍କ ଉଚ୍ଚତା କେତେ?

ଫରିଦ କହିଲେ- ତୁମେ ତୁନି ହୁଅ। ଫକୀରମାନେ କେବେ ନିଜର ଉଚ୍ଚତାର ବଡ଼ାଇ କରନ୍ତି ନାହିଁ। ତେଣୁ ମୋର ଉଚ୍ଚତା କଥା ଉଠାଅ ନାହିଁ। କିନ୍ତୁ ବିଚାର କର ରାଜାଙ୍କ ଉଚ୍ଚତା କାହିଁ କେତେ ଗୁଣରେ ଅଧିକ। ଆମେମାନେ ତ ଫକୀର। ସେ କିନ୍ତୁ ରାଜା। ଗୋଟିଏ ରାଜ୍ୟର କର୍ତ୍ତା। ତଥାପି ଜଣେ ଅତିଥି ଲାଗି ସେ ନିଜେ ଛତା ଧରି ପଛେ ପଛେ ଚାଲି ପାରି‌ଲେ। ଏଥିରୁ କଳନା କର ସେ କେତେ ଉଚ୍ଚକୋଟୀର ବ୍ୟକ୍ତି।