ପକ୍ଷୀ ବିଚାର

ଗୋଟିଏ ବିଲର ଅରମା ଲଟା ଭିତରେ ପକ୍ଷୀଟିଏ ବସା କରିଥିଲା, ଯହିଁରେ ତାର ତିନିଟି ଛୁଆ ଥିଲେ। ଦି‌େନ ମା’ ପକ୍ଷୀ ତାର ଛୁଆମାନଙ୍କ ଲାଗି ଖାଦ୍ୟ ‌ନେଇ ଫେରିବା ପରେ ଛୁଆମାନେ କହି‌ଲେ- ମା’, ଜଣେ ଲୋକ ଆସିଥିଲା ଏବଂ କହୁଥିଲା ଯେ କାଲି ତାର ପୁଅମାନଙ୍କୁ ପଠାଇ ଅରମା ସଫା କରି ଚାଷ କରିବ। ଆମେ କ’ଣ କରିବା?

ପକ୍ଷୀର ଛୁଆମାନେ ଉଡ଼ି ଶିଖି ନ ଥିଲେ। କିନ୍ତୁ ମା’ କହିଲା- କିଛି ଚିନ୍ତା କରନାହିଁ। କାଲି କିଛି ହେବ ନାହିଁ।

ସତକୁ ସତ କିଛି ହେଲା ନାହିଁ। ଏମିତି ଆଉ କିଛି ଦିନ ଗଡ଼ିଗଲା। ପୁଣି ଦିନେ ସଂଜରେ ମା’ ବସାକୁ ଫେରିବା ବେଳେ ଛୁଆମାନେ କହିଲେ- ମା’, ଆଜି ସେ ପୁଣି ଆସିଥିଲା ଏବଂ କହୁଥିଲା ଯେ ବହୁତ ଦିନ ଗଡ଼ିଗଲା। କାଲି ଲୋକ ପଠାଇ ଏହାକୁ ସଫା କରିବ।

ମା’ କହିଲା- କାଲି କିଛି ହେବ ନାହିଁ। ଚିନ୍ତା କରନା।

ସତକୁ ସତ କିଛି ହେଲା ନାହିଁ। ଏମିତି କିଛି ଦିନ ଗଡ଼ିଗଲା ପରେ ପୁଣି ଦିନେ ମା’ ପକ୍ଷୀ ବସାକୁ ଫେରିବା ପରେ ଛୁଆମାନେ କହିଲେ- ମା’ ପୁଣି ସେ ଆସିଥିଲା। ସେ କହୁଥିଲା ଯେ କାଲି ନିଜେ ଆସି ସବୁ ସଫା କରିବ। କିନ୍ତୁ ଆମେ ଜାଣୁ ସେ ଖାଲି କହୁଛି। ଆସିବ ନାହିଁ।

ମା’ କିନ୍ତୁ ଏଥର କହିଲା- ପିଲାଏ, କାଲି ସେ ଆସିବ। ଏବେ ତୁମେ ଉଡ଼ି ଶିଖିଲଣି। ତେଣୁ ଚାଲ ଜାଗା ବଦଳାଇ ଦେବା।

ଛୁଆମାନେ କହିଲେ- ମା’ ତମେ କେମିତି ଜାଣିଲ ଯେ କାଲି ସେ ଆସିବ?

ମା’ ପକ୍ଷୀ କହିଲା- ପୂର୍ବରୁ ସେ ପର ଉପରେ ନିର୍ଭରଶୀଳ ଥିଲା। ତେଣୁ ମୁଁ ଜାଣିଲି ଯେ ସେ ତା କାମ ନେଇ ଗମ୍ଭୀର ନୁହେଁ। ଏବେ କିନ୍ତୁ ସେ ନିଜେ କରିବା କଥା କହିଲା। ତାର ଅର୍ଥ ଆଉ ଡେରି କରିବ ନାହିଁ। ଏବେ ନିଶ୍ଚୟ କରିବ।

ପକ୍ଷୀ ଓ ତାର ଛୁଆ ସେଠାରୁ ଉଡ଼ିଗଲେ। ପର ଦିନ ଚାଷୀ ଆସି ଅରମା ସଫା କଲା।

ସମ୍ବନ୍ଧିତ ଖବର