ଜଣେ ଅତି ଦରିଦ୍ର ବ୍ୟକ୍ତି ଗୌତମ ବୁଦ୍ଧଙ୍କ ନିକଟରେ ପହଞ୍ଚି କହିଲା- ମୁଁ ଏତେ ଦରିଦ୍ର କାହିଁକି? ମୋ ଆଖପାଖ ସମସ୍ତେ ଖୁସିରେ ଅଛନ୍ତି। ହେଲେ ମୋ ଦୁଃଖ ଘୁଞ୍ଚୁ ନାହିଁ କାହିଁକି? ମୁଁ ବହୁତ ଦୁଃଖୀ।

Advertisment

ବୁଦ୍ଧ ଏହା ଶୁଣି ମୃଦୁ ହସିଲେ ଏବଂ ଧୀର ଗଳାରେ କହିଲେ- ତୁମେ କାହାକୁ କିଛି ଦେଉ ନାହଁ ବୋଲି ଦରିଦ୍ର ଓ ଅସୁଖୀ।

ଦରିଦ୍ର ‌େଲାକଟି ମୁଣ୍ଡରେ ହାତ ଦେଇ ବସିପଡ଼ିଲା। ସେ କହିଲା- ମହାଭାଗ, ମୁଁ ଏତେ ଦରିଦ୍ର ଯେ ଭଲ କରି ମୁଠାଏ ଖାଇବାକୁ ପାଇ ନ ଥାଏ। ତେଣୁ ମୁଁ କାହାକୁ କିଛି ଦିଏ ବୋଲି କହିବାର ଅର୍ଥ ମୋତେ ପରିହାସ କରିବ‌ା।

ବୁଦ୍ଧ ପୁଣି ହସିଲେ ଓ କହିଲେ- ତୁମ ପା‌ଖରେ କିଛି ନାହିଁ ବୋଲି କିଏ କହିଲା? ତୁମ ମୁହଁରେ ହସ ଅଛି; କାହାକୁ ଚାହିଁ ମୁହଁରେ ହସ ଫୁଟାଅ, ଦେଖିବ ସେ ବି ଖୁସି ହୋଇଯିବ ଏବଂ ତୁମ ମନକୁ ଏହା ଦ୍ବାରା ଶାନ୍ତି ମିଳିବ। ସେମିତି ତୁମର ବାଣୀ ମଧ୍ୟ ଅନ୍ୟକୁ ସାନ୍ତ୍ବନା ଓ ପ୍ରେରଣା ଦେଇପାରିବ। ଏହା ଦ୍ବାରା ମଧ୍ୟ ତୁମ ମନ ଆନନ୍ଦ ଲାଭ କରିବ। ତୁମ ହାତ ଦୁଇଟି ତ ସେବା କରିବା ଲାଗି ସବୁଠାରୁ ଉତ୍ତମ ସାଧନ। ଅନ୍ୟକୁ ସେବା ଦେଇ ତୁମେ କେବଳ ଅର୍ଥ ଅର୍ଜନ କରିବ ନା‌ହିଁ, ଅପାର ସନ୍ତୋଷ ମଧ୍ୟ ଲାଭ କରିବ। ଏ ସବୁ ଥିବା ସତ୍ତ୍ବେ ତୁମେ ନିଜକୁ ଦରିଦ୍ର ବୋଲି ଭାବିବା ଉଚିତ ନୁହେଁ। ତୁମେ ଅନ୍ୟକୁ ଦେବାକୁ ଚେଷ୍ଟା କଲେ ତୁମ ପାଖରେ ସ୍ବଳ୍ପ ଥିଲେ ବି ତୁମେ ନିଜକୁ ଗରିବ ବୋଲି ଭାବିବ ନାହିଁ। ଦ୍ବିତୀୟ କଥା ହେଲା, ସେଇ ମାର୍ଗରେ ତୁମ ମନରେ ପ୍ରଫୁଲ୍ଲତା ମଧ୍ୟ ଆସିବ।

ଦରିଦ୍ର ଲୋକଟି ଏଥର ସୁଖୀ ହେବାର ପ୍ରକୃତ ମାର୍ଗଟି ପାଇଗଲା।