ପାଞ୍ଚ ଲାମା

ତିବ୍ବତରେ ଅତି ନିକାଞ୍ଚନ ଜାଗରେ ଥିବା ବୌଦ୍ଧ ମନ୍ଦିରର ଜଣେ ଲାମା ମୁଖ୍ୟ ମଠାଧୀଶଙ୍କୁ ଚିଠି ଲେଖିଲେ- ମୋତେ ସାହାଯ୍ୟ କରିବା ଲାଗି ଆଉ ଜଣେ ଲାମାଙ୍କୁ ପଠାନ୍ତୁ। ଗୁରୁ ପତ୍ର ପାଇ ପାଞ୍ଚ ଜଣ ତରୁଣ ଲାମାଙ୍କୁ ପଠାଇବାର ବ୍ୟବସ୍ଥା କଲେ।

ସେମାନେ ପଚାରିଲେ- କିନ୍ତୁ ପାଞ୍ଚ ଜଣ କାହିଁକି?

ଗୁରୁ କହିଲେ- ବାଟ ବହୁତ ଦୀର୍ଘ। ଯାତ୍ରା ଶେଷରେ ବୁଝି ପାରିବ।

ପର ଦିନ ସେମାନେ ବାହାରିଲେ। ଦିନକ ପରେ ସେମାନଙ୍କୁ ହାବୁଡ଼ିଲେ ଦଳେ ଲୋକ ଯେଉଁମାନେ ନିଜ ସହରର ମନ୍ଦିର ଲାଗି ପୂଜକ ଖୋଜୁଥିଲେ। ସୁତରାଂ, ବହୁତ ପାରିଶ୍ରମିକ ପାଇବା‌ର ସୁଯୋଗ ନ ହରାଇ ଜଣେ ଲାମା ସେଠାରେ ରହିଗଲା।

ଆଉ ଦିନକର ଯାତ୍ରା ପରେ ଜଣେ ଜମିଦାର ଦେଖା ହେଲେ, ଯିଏ ନିଜ ଧର୍ମ ପରାୟଣା ଏକମାତ୍ର ଝିଅ ଲାଗି ବରପାତ୍ର ଖୋଜୁଥିଲେ। ସୁତରାଂ, ଏହି ଚାରି ଜଣଙ୍କ ମଧ୍ୟରୁ ସବୁଠାରୁ ସୌମ୍ୟକାନ୍ତ ଲାମାକୁ ପ୍ରସ୍ତାବ ଦେଲେ। ଜମିଦାରଙ୍କ ଅକଳନ୍ତି ସଂପତ୍ତି। ସୁତରାଂ, ସେ ରହିଗଲା।

ଦୁଇ ଦିନ ପରେ ଏକ ଅତି ନିକାଞ୍ଚନ ସ୍ଥାନରେ ରାତି ହୋଇଯିବାରୁ ସେଠାରେ ଥିବା ଗୋଟିଏ ଘରେ ବାକି ତିନି ଜଣ କବାଟ ବାଡ଼େଇଲେ। କବାଟ ଖୋଲିଲା ଜଣେ ଭୀତତ୍ରସ୍ତା ତରୁଣୀ। ‌ସେ କହିଲା ଯେ ତା’ ପିତାମାତା କିଛି ଦିନ ହେଲା ବାହାରକୁ ଯାଇ ଆଉ ଫେରି ନାହାନ୍ତି। ସେ ଅତ୍ୟନ୍ତ ଭୟାତୁରା। ତେଣୁ ସେ ଅନୁରୋଧ କଲା ଜଣେ ସେଠାରେ ରହି ଯାଆନ୍ତୁ। ଏହି ତିନିଙ୍କ ମଧ୍ୟରୁ ଜଣେ ତାକୁ ଭଲ ପାଇ ବସିଥିଲା। ସେ ଦୟାର୍ଦ୍ର ହୋଇ ସେଠାରେ ରହିଗଲା।

ଶେଷ ଦୁଇ ଜଣ ଚାଲିଲେ। ବାଟରେ ଗୋଟିଏ ନାସ୍ତିକଙ୍କ ଗାଁ ପଡ଼ିଲା। ସେଠାରେ ଜାଣେ ଲାମା ରହିଗଲା। କାରଣ ସେ ବୁଦ୍ଧଙ୍କ ବାଣୀର ଶିକ୍ଷା ଦେଇ ଗାଁକୁ ପରିବର୍ତ୍ତନ କରିବାକୁ ଚାହିଲା। ସେ କହିଲା ଏହା ମୋ ଲାଗି ଏକ ବଡ଼ ଦାୟିତ୍ବ।

ଶେଷରେ ଯେଉଁ ଜଣକ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା, ସେ ବୁଝି ପାରିଲା ଗୁରୁ କାହିଁକି ପାଞ୍ଚ ଜଣକୁ ପଠାଇଥିଲେ ଏବଂ ବାଟ ଦୀର୍ଘ ବୋଲି କହିଥିବାର ଅର୍ଥ କ’ଣ ଥିଲା।

ସମ୍ବନ୍ଧିତ ଖବର