ଗୋଟିଏ ଗାଁରେ ଜଣେ ବୃଦ୍ଧ ଲୋକ ଥିଲେ। ସେ ଏଭଳି ଚିଡ଼ା ସ୍ବଭାବର ଥିଲେ ଯେ କହିଲେ ନ ସରେ। ତାଙ୍କ ସହିତ କଥାବାର୍ତ୍ତା କରୁଥିବା ଲୋକ ମଧ୍ୟ ଅକାରଣେ ମନର ଶାନ୍ତି ହରାଉଥିଲେ। ସେହି ଲୋକଙ୍କ ମଧ୍ୟରେ ଥିବା ନକାରାତ୍ମକ ଭାବନାର ପ୍ରଭାବ ତାଙ୍କ ଆଖପାଖରେ ପଡୁଥିଲା। ସୁତରାଂ, ତାଙ୍କ ପାଖକୁ ଲୋକମାନେ ଯିବା ଆସିବା ମଧ୍ୟ ବନ୍ଦ କରିଦେଲେ।
ହଠାତ୍, ଲୋକେ ଏକ ବିଚିତ୍ର ଜିନିଷ ଦେଖିଲେ। ସେହି ବୃଦ୍ଧ ଜଣକ ହସୁଥିଲେ। ଲୋକମାନଙ୍କୁ ଦେଖିଲେ ହସିହସି କଥା ହେଉଥିଲେ, ଅଯଥାରେ ଅଭିସଂପାତ ବର୍ଷଣ କରୁ ନ ଥିଲେ। ଏବେ ଲୋକେ ତାଙ୍କୁ ଭଲ ପାଇବାକୁ ଲାଗିଲେ। ସୁତରାଂ, ତାଙ୍କ ମନର ଖୁସି ଆହୁରି ବଢ଼ିଲା।
ତାଙ୍କ ମନରେ ଏଭଳି ପରିବର୍ତ୍ତନ କେମିତି ସମ୍ଭବ ହେଲା ବୋଲି ଲୋକେ ଜାଣିବାକୁ ଚାହିଁଲେ।
ସେ କହିଲେ- ମୋର ଜଣେ ଗୁରୁଙ୍କ ସହିତ ଦେଖା ହେଲା। ସେ ମୋତେ କହିଲେ- ତୁମେ ଏ ପର୍ଯ୍ୟନ୍ତ ସୁଖ ପାଇବା ଉଦ୍ଦେଶ୍ୟରେ ଲାଗି ରହିଛ ବୋଲି ତୁମକୁ ସୁଖ ମିଳିନାହିଁ। ତୁମେ ଯାହା ପାଇଛ, ସେହି ସବୁଥିରେ ସୁଖ ପାଇବାର ସୁଯୋଗ ଥିଲେ ମଧ୍ୟ ତୁମେ ତାହା ନ ଦେଖି ସେଥିରେ କ’ଣ ଅଭାବ ରହିଛି ତାହା ଦେଖୁଛ। କାରଣ ତୁମେ ସବୁଥିରୁ ସୁଖ ଖୋଜୁଛ। ସତ କହିଲେ ତୁମେ ଯଦି ସୁଖ ଖୋଜିବା ଛାଡ଼ି ଦେବ, ଦେଖିବ ତୁମେ ସୁଖୀ ହୋଇ ଉଠିବ।
ତାହା ସତ ହେଲା। ମୁଁ ଆଉ ଅଲଗା ଭାବେ ସୁଖ ଖୋଜିଲି ନାହିଁ। ଯାହା ମୋ ଜୀବନରେ ଆସିଲା, ସବୁଥିରେ ସୁଖ ପାଇବାର କିଛି ନା କିଛି କାରଣ ଦେଖି ପାରିଲି। ଏବେ ମୋ ପାଖରେ ଅଭିଯୋଗ କରିବା ଲାଗି କିଛି ନାହିଁ। ସବୁ କିଛି ଆନନ୍ଦ ଦେଉଛି।