ଜମିଦାରଙ୍କ ଦାନ

ଜଣେ ଜମିଦାର ଥିଲେ। ସେ ଅତ୍ୟନ୍ତ ଦାନୀ ଭାବେ ପରିଚିତ ଥିଲେ। ଥରେ ଜଣେ ସାଧୁ ତାଙ୍କ ନିକଟକୁ ଆସିଲେ, ଯାହାକୁ ଜମିଦାର ଗୋଟିଏ ସୁନା ମୋହର ଦାନ ଭାବେ ଦେଲେ। ସାଧୁ ଚାଲିଗଲେ। ପର ଦିନ ପୁଣି ସାଧୁ ଆସିଲେ। ପୁଣି ଗୋଟିଏ ସୁନା ମୋହର ନେଇ ଚାଲିଗଲେ। ଜମିଦାର ମନେ ମନେ ଭାବିଲେ ୟେ କି ପ୍ରକାର ସାଧୁ। ପ୍ରତି ଦିନ ଗୋଟିଏ ‌େଲଖା ସୁନା ମୋହର ନେଇ ଚାଲି ଯାଉଛନ୍ତି!

ପର ଦିନ ‌ସାଧୁ ସୁନା ମୋହର ନେଇ ଗଲା ପରେ ଜମିଦାର ତାଙ୍କ ପଛରେ ଜଣେ ଚାକରକୁ ପଠାଇ ଜାଣିବାକୁ ଚାହିଁଲେ ଯେ ସାଧୁ ସୁନା ନେଇ କରୁଛନ୍ତି କ’ଣ?

ସାଧୁ କିଛି ବାଟ ଗଲା ପରେ ସୁନା ମୋହରକୁ ନଦୀ ଭିତରକୁ ଫିଙ୍ଗି ଦେଇ ନିଜ ବାଟରେ ଚାଲିଗଲେ। ଚାକରଟି ଫେରି ଜମିଦାରକୁ ସେହି କଥା କହିଲା। ଏହା ଶୁଣି ଜମିଦାର ଖୁବ୍‌ ରାଗି ଗଲେ।

ପର ଦିନ ସାଧୁ ସେଠାକୁ ଯାଆନ୍ତେ ଜମିଦାର ତାଙ୍କୁ ସୁନା ମୋହର ନ ଦେଇ କହିଲେ- ଏ ଯାବତ୍ ମୁଁ ତୁମକୁ ଅକାରଣେ ଦାନ କରୁଥିଲି। ଏବେ ନୁହେଁ। ତୁମେ ମୋ ଠାରୁ ନେଇଥିବା ସୁନା ମୋହରମାନ ନଦୀକୁ ଫିଙ୍ଗି ଦେଉଛ?

ସାଧୁ କହିଲେ- ତେବେ ଗୋଟିଏ କଥା ଶୁଣ। ତୁମେ ଆଦୌ ଦାନୀ ହିଁ ନୁହଁ। କାରଣ ଦାନ କରିଥିବା ବସ୍ତୁ ପ୍ରତି ତୁମର ମୋହ ତୁଟୁ ନାହିଁ। ତେଣୁ ଦାନୀ ଭାବେ ପରିଚିତ ହୋଇଥିବା ସତ୍ତ୍ବେ ତୁମେ ପ୍ରକୃତରେ ଜଣେ ପ୍ରବଞ୍ଚକ। ଏହା ତୁମେ ଜାଣିବା ଉଚିତ ବୋଲି ମୁଁ ତୁମ ପାଖକୁ ଆସୁଥିଲି।

ଏହା କହି ସାଧୁ ଚାଲିଗଲେ। ପର ଦିନ ଦାନ କରୁଥିବା ବେଳେ ଜମିଦାର କିନ୍ତୁ ଆଉ ପୂର୍ବ ଭଳି ନ ଥିଲେ। ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିଲା।

ସମ୍ବନ୍ଧିତ ଖବର