ସ୍ବର୍ଗ ପରି

ଜଣେ ସାଧୁଙ୍କ ପାଖକୁ ଚାଷୀଟିଏ ଆସି ତାକୁ ତା’ ସମସ୍ୟାରୁ ମୁକ୍ତ କରିବାକୁ କହିଲା।

ସାଧୁ ପଚାରିଲେ- ସମସ୍ୟା କ’ଣ?

ଚାଷୀ କହିଲା- ମୁଁ ବହୁ କୁଟୁମ୍ବୀ, କିନ୍ତୁ ମୋ ଘରର ଆକାର ଅତି ଛୋଟ। ଲାଗୁଛି ଗୋଡ଼ ଲମ୍ବାଇ ଘଡ଼ିଏ ଶାନ୍ତିରେ ବସିବା ବି ଅସମ୍ଭବ। କେମିତି କ’ଣ କରିବି ବୁଦ୍ଧି ଦିଶୁନାହିଁ। ବଡ଼ ଘର କରିବାକୁ ମୋ ‌ପାଖରେ ସମ୍ବଳ ନାହିଁ।

ସାଧୁ କହିଲେ- ମୁଁ ଯାହା କହିବି ମାନିବ ତ?

ଚାଷୀ କହିଲା- ନିଶ୍ଚୟ ମାନିବି।

ସାଧୁ କହିଲେ- ଭଲ କଥା। ତୁମେ ଚାଷୀ ଲୋକ। ତୁମ ପାଖରେ ଗାଈ ବଳଦ ଥିବେ ତ? କୁକୁଡ଼ା ବି ଥିବେ! ମୋ କଥା ମାନି ସେମାନଙ୍କୁ ସବୁ ମାସକ ଲାଗି ତୁମ ଘରେ ତୁମ ସହିତ ରଖ। ମାସକ ପରେ ଆସିବ।

ଚାଷୀ କହିଲା- ଆଜ୍ଞା ମୋ ପରିବାର ଲାଗି ଘର ନିଅଣ୍ଟ। ଆପଣ ପୁଣି ଏ କ’ଣ କହୁଛନ୍ତି?

ସାଧୁ କହିଲେ- ତୁମେ ଯଦି ମୋ କଥା ମାନିବ ନାହିଁ ତେବେ ଦୂର ହୁଅ।

ଏବେ ବାଧ୍ୟ ହୋଇ ଚାଷୀ ଘରକୁ ଗଲା। ଚରମ ଅନିଚ୍ଛା ସତ୍ତ୍ବେ ସାଧୁ ଯାହା କହିଥିଲେ ତାହା କଲା। କିନ୍ତୁ ଦୁଇ ଦିନରେ ଜୀବନ ଦୁର୍ବିଷହ ହୋଇ ଉଠିଲା। ଏଣେ ସାଧୁ କହିଛନ୍ତି ମାସଟିଏ ଏମିତି ରହିବାକୁ। ସେ ପ୍ରାଣପଣେ ଚେଷ୍ଟା କଲା। ଦୁଇ ସପ୍ତା‌ହ ପରେ ଆଉ ରହିବା ସମ୍ଭବ ନ ହେବାରୁ ସାଧୁଙ୍କ ପାଖକୁ ଦୌଡ଼ିଲା।

ସାଧୁ କହିଲେ- ଠିକ୍‌ ଅଛି ସେମାନଙ୍କୁ ବାହାର କର ଏବଂ କାଲି ସକାଳେ ମୋ ପାଖକୁ ଆସ।

ପରଦିନ ଚାଷୀ ଆସିଲା। ତା ମୁହଁରେ ଆଶ୍ବସ୍ତିର ହସ ଥିଲା। ଏବେ ସାଧୁ ପଚାରିଲେ- ଘର କେମିତି ଲାଗୁଛି?

ଚାଷୀ କହିଲା- ଆଜ୍ଞା, ସ୍ବର୍ଗ ପରି!

ସମ୍ବନ୍ଧିତ ଖବର