ଦୁଇ ଜଣ ଲୋକ ଗୌତମ ବୁଦ୍ଧଙ୍କ ପାଖରେ ପହଞ୍ଚିଲେ। ସେମାନେ ବୁଦ୍ଧଙ୍କୁ କହିଲେ- ମହାତ୍ମା, ଆମେ ବହୁତ ଦୁଃଖ କଷ୍ଟରେ କାଳାତିପାତ କରୁଛୁ। ଆମେ ସବୁ ଦୃଷ୍ଟିରୁ ନିପୀଡ଼ିତ। ଆମକୁ ଲାଗୁଛି ସତେ ଯେମିତି ଏଥିରୁ ମୁକ୍ତିି ନାହିଁ। ଆପଣ କହି ପାରିବେ କି ଆମକୁ କେବେ ଏଭଳି ଦୁଃଖ କଷ୍ଟ ଭରା ଜୀବନରୁ ମୋକ୍ଷ ମିଳିବ। ଆମକୁ ଆଉ କେତେ ଜନ୍ମ ନେବାକୁ ହେବ?
ବୁଦ୍ଧ ତା’ ପରେ ନିକଟେର ଥିବା ଏକ ତେନ୍ତୁଳି ଗଛ ଆଡ଼କୁ ଦେଖାଇ କହିଲେ- ସେହି ଗଛରେ ଯେତିକି ପତ୍ର, ତୁମେମାନେ ଅନ୍ତତଃ ଆଉ ସେତିକି ଜନ୍ମ ନେଲା ପରେ ଯାଇ ମୋକ୍ଷ ପାଇବ।
ଏହା ଶୁଣି ଜଣେ ଭୋ ଭୋ ହୋଇ କାନ୍ଦି ଚାଲିଗଲା। ଅଥଚ ଆଉ ଜଣଙ୍କର ଆଖିରୁ ଆନନ୍ଦାଶ୍ରୁ ବହିଗଲା। ସେ ବୁଦ୍ଧଙ୍କ ପାଦ ତଳେ ପଡ଼ି ଧନ୍ୟବାଦ ଦେଇ ନିଜ ବାଟରେ ଚାଲିଗଲା।
ବୁଦ୍ଧଙ୍କ ପରମ ଶିଷ୍ୟ ଆନନ୍ଦ ପାଖରେ ଥିଲେ। ସେ ଏହାର କାରଣ କ’ଣ ତାହା ବୁଝି ପାରିଲେ ନାହିଁ। ତେଣୁ ବୁଦ୍ଧଙ୍କୁ ପଚାରିଲେ।
ବୁଦ୍ଧ ତାଙ୍କୁ ବୁଝାଇ ଦେଇ କହିଲେ- ତେନ୍ତୁଳି ଗଛରେ ପତ୍ର ସଂଖ୍ୟା ଲକ୍ଷ ଲକ୍ଷ। ପ୍ରଥମ ଲୋକଟି ଏତେ ଲକ୍ଷ ଜନ୍ମ ନେବାକୁ ହେବ ବୋଲି ଚିନ୍ତା କରି ହତାଶାରେ ଜର୍ଜର ହୋଇ ଚାଲିଗଲା। କିନ୍ତୁ ଦ୍ବିତୀୟ ବ୍ୟକ୍ତିଟି ଖୁବ୍ ସକାରାତ୍ମକ। ସେ ଭାବିଲା ଲକ୍ଷ ଲକ୍ଷ ହେଉ ପଛକେ ଦିନେ ତ ତାହା ସରିବ ଏବଂ ତାକୁ ମୁକ୍ତି ମିଳିବ। ତେଣୁ ତାହା ତାକୁ ସାନ୍ତ୍ବନା ଦେଲା ଯେ ଚିରନ୍ତନ କାଳ ଲାଗି ତାକୁ ଦୁଃଖ ଭୋଗିବାକୁ ପଡ଼ିବ ନାହିଁ।