ଭିନ୍ନ ଜଣେ ଯୋଦ୍ଧା

ପ୍ରାଚୀନ ରୋମ ସାମ୍ରାଜ୍ୟ। ଜଣେ ଅମାପ ବଳଶାଳୀ ଯୁବକ ଗ୍ଲାଡିଏଟର୍‌ ଭାବେ ନିଯୁକ୍ତ ହେଲା। ସେତେବେଳେ ଗ୍ଲାଡିଏଟର୍‌ମାନେ ଥିଲେ ଯୋଦ୍ଧା, ଯେଉଁମାନଙ୍କୁ ରାଜା ଓ ସମ୍ଭ୍ରାନ୍ତ ବର୍ଗଙ୍କ ମନୋରଂଜନ ଲାଗି ବ୍ୟବହାର କରାଯାଉଥିଲା। ଆଂପିଥିଏଟର୍‌ର ପ୍ରାଙ୍ଗଣରେ ଗ୍ଲାଡିଏଟର୍‌ମାନଙ୍କ ସହ ଲଢୁଥିଲେ କିଛି କ୍ରୀତଦାସ। ସ୍ବାଭାବିକ ଭାବେ କ୍ରୀତଦାସଙ୍କ ରକ୍ତରେ ପ୍ରାଙ୍ଗଣ ରଂଜିତ ହୋଇ ଯାଉଥିଲା। ଶେଷରେ ତଳେ ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା କ୍ରୀତଦାସକୁ ହତ୍ୟା କରିବା ଲାଗି ସମ୍ରାଟ ତାଙ୍କ ବୃଦ୍ଧାଙ୍ଗୁଠିକୁ ତଳକୁ କଲେ ଗ୍ଲାଡିଏଟର୍‌ ଆହତ କ୍ରୀତଦାସର ଛାତିରେ ବର୍ଚ୍ଛା ବିଦ୍ଧ କରି ତାକୁ ଶେଷ କରିଦେଉଥିଲା। ଆଉ ଏହି କରୁଣ ଖେଳରୁ ଜାନ୍ତବ ଉଲ୍ଲାସ ପାଉଥିଲେ ରୋମର ସମ୍ଭ୍ରାନ୍ତ ବର୍ଗ।

ସେ ଦିନ କିନ୍ତୁ ଦୃଶ୍ୟ ବଦଳିଗଲା। ନିରସ୍ତ୍ର କ୍ରୀତଦାସ ସହିତ ଯୁଦ୍ଧ କରିବା ଲାଗି ନବନିଯୁକ୍ତ ଗ୍ଲାଡିଏଟର୍‌ ମନା କରିଦେଲା। ସମ୍ରାଟଙ୍କ ଆଦେଶକୁ ମଧ୍ୟ ଅବଜ୍ଞା କଲା। ସେ କହିଲା- ବହୁତ ହେଲା, ଆଉ ଏ ପୈଶାଚିକ ଖେଳ ଖେଳି ହେବ ନାହିଁ। କହିବା ବାହୁଲ୍ୟ ସମ୍ରାଟଙ୍କ ଆଦେଶ ଅବମାନନା କରିଥିବାରୁ ଯୁବ ଗ୍ଲାଡିଏଟର୍‌ର ଶିରଚ୍ଛେଦ କରାଗଲା।

ଏହା କହି ସାରି ଗୁରୁ କହିଲେ- ଏହି ଗ୍ଲାଡିଏଟର୍‌ ପାଖରେ ଅମାପ ବଳ ଥିଲା। କିନ୍ତୁ ନିରସ୍ତ୍ରକୁ ହତ୍ୟା ନ କରିବାର ମହାନତା ଦେଖାଇ ଓ ସମ୍ରାଟଙ୍କ ଆଜ୍ଞାକୁ ନ ମାନି ସେ ଦେଖାଇ ଦେଲା ଯେ ବଳ ସହିତ ତା’ ପାଖରେ ରହିଛି ନ୍ୟାୟବୋଧ, କରୁଣା ଏବଂ ସାହସ। କେବଳ ବଳ ନୁହେଁ, ଏ ସବୁ ମିଶି ଜଣେ ଅସାଧାରଣ ଯୋଦ୍ଧାକୁ ସମ୍ଭବ କରି ପାରିଲା।

ସମ୍ବନ୍ଧିତ ଖବର