ଜଣେ ରାଜା ନିଜ ପାତ୍ରମନ୍ତ୍ରୀଙ୍କୁ ଡକାଇ କହିଲେ- ତୁମେମାନେ ଏମିତି କିଛି ଉପାୟ କର, ଯେମିତି କି ମୋର ଚରମ ଘଡ଼ିସନ୍ଧି ବେଳାରେ ତୁମମାନଙ୍କ ମଧ୍ୟରୁ କେହି ନ ଥିଲେ ବି ମୁଁ ତହିଁରୁ ମୁକୁଳିବାର ବାଟ ପାଇବି।
ଏହା ଶୁଣି ଜଣେ ଅମାତ୍ୟ ତାଙ୍କ ବୃଦ୍ଧ ପିତାଙ୍କୁ ତାହା କହିଲା। ବୃଦ୍ଧ ଗୋଟିଏ କାଗଜରେ କିଛି ଲେଖି ପୁଅଙ୍କୁ ଧରାଇ ଦେଇ କହିଲେ- ବାବୁ, ତୁମେ ଯାଇ ଏହାକୁ ରାଜାଙ୍କୁ ଦିଅ ଏବଂ କହିବ ବୁଦ୍ଧି ହଜିଗଲା ଭଳି ସଂକଟ କାଳରେ ଏହାକୁ ଖୋଲି ପଢ଼ିବେ।
ରାଜା ଏହା ଶୁଣି ଅମାତ୍ୟଙ୍କୁ ବିଶ୍ବାସ କରି କାଗଜଟିକୁ ତାଙ୍କ ମୁଦିରେ ପୂରାଇ ରଖିଲେ।
ଏହାର କିଛି କାଳ ପରେ ହଠାତ୍ ଶତ୍ରୁ ରାଜ୍ୟର ଆକ୍ରମଣରେ ରାଜାଙ୍କୁ ପ୍ରାଣ ବଞ୍ଚାଇ ଜଙ୍ଗଲ ଭିତରକୁ ପଳାୟନ କରିବାକୁ ହେଲା। ସିଂହାସନ ଓ ପ୍ରତିପତ୍ତିରିକ୍ତ ହୋଇ ଜଙ୍ଗଲରେ ଏକୁଟିଆ ଅତି ହତାଶ ହୋଇ ବୁଲୁଥିବା ବେଳେ ହଠାତ୍ ତାଙ୍କର ସେହି କାଗଜ କଥା ମନେ ପଡ଼ିଗଲା। ସେ ମୁଦି ଭିତରୁ କାଗଜକୁ ବାହାର କରି ଆଣି ପଢ଼ିଲେ। ତହିଁରେ ଧାଡ଼ିଏ ଲେଖା ଥିଲା- ଏହା ମଧ୍ୟ ଦିନେ ଚାଲିଯିବ।
କଥାଟା ତାଙ୍କ ମନକୁ ଛୁଇଁଗଲା। ହଠାତ୍ ଯେମିତି ତାଙ୍କ ମନ ଭିତରକୁ ଦମ୍ଭ ଫେରି ଆସିଲା। ସେ ଭାବିଲେ ସତେ ତ! ମୁଁ କେଇ ଦିନ ତଳେ ରାଜା ଥିଲି, ଅଥଚ ଆଜି ନିଃସ୍ବ। ସେମିତି ଦିନ ଆସିବ ମୋ ଅବସ୍ଥା ବଦଳିଯିବ। ତେଣୁ ହତାଶ ହେବି କାହିଁକି? କୌଣସି କଥା ସ୍ଥାୟୀ ନୁହେଁ। ସବୁ କିଛି ବଦଳେ।
ରାଜା ତା’ ପରେ ସାହସ ଜୁଟାଇ ପୁଣି ତାଙ୍କ ଅନୁଗାମୀମାନଙ୍କୁ ଠୁଳ କଲେ ଏବଂ ଏକ ଅତର୍କିତ ଆକ୍ରମଣ କରି ପୁଣି ତାଙ୍କ ରାଜ୍ୟକୁ ଜୟ କରି ନେଲେ।