ଜଣେ ରାଜାଙ୍କ ଗୋଟିଏ ହାତୀ ଥିଲା। ତାହା ଅତି ଯୁଦ୍ଧ ପଟୁ ଥିବାରୁ ରାଜାଙ୍କୁ ଅନେକ ଯୁଦ୍ଧରେ ବିଜୟୀ କରାଇଥିଲା। ଅନେକ ବର୍ଷ ପରେ ସେ ବୁଢ଼ା ହୋଇଗଲା ଏବଂ ଆଉ ଯୁଦ୍ଧକୁ ଯାଇ ପାରିଲା ନାହିଁ। କିନ୍ତୁ ରାଜା ତାର ଯତ୍ନ ନେବାରେ ହେଳା କଲେ ନାହିଁ।
ଦିନକର କଥା। ହାତୀଟି ପୋଖରୀରେ ଗାଧୋଉଥିବା ବେଳେ ପଙ୍କରେ ପଶିଗଲା ଏବଂ ବାହାରି ପାରିଲା ନାହିଁ। ରାଜା ଏହା ଶୁଣି ସେହି ସ୍ଥାନକୁ ଦୌଡ଼ିଲେ। ଅନେକ େଲାକ ହାତୀକୁ ଉଦ୍ଧାର କରିବାକୁ ଆସି କାମରେ ଲାଗିଲେ ଏବଂ ଅନେକ ଉପାୟ କରାଗଲା। କିନ୍ତୁ ହାତୀଟି କୌଣସି ପ୍ରକାରେ ବାହାରି ପାରିଲା ନାହିଁ। ଶେଷରେ ହାତୀଟି କ୍ଳାନ୍ତ ହୋଇ ପଙ୍କରେ ବସିପଡ଼ିଲା। ରାଜା ଚିନ୍ତିତ ହୋଇ ପଡ଼ିଲେ।
ଏହି ସମୟରେ ସେହି ବାଟ ଦେଇ ଯାଉଥିଲେ ଜଣେ ସାଧୁ। ତାଙ୍କୁ ଦେଖି ରାଜା ସବୁ କଥା କହିଲେ। ଏଭଳି ଯୁଦ୍ଧ ପଟୁ ହାତୀ କେବେ ହାର ମାନିବ ନାହିଁ ବୋଲି କହି ସାଧୁ ପାଖକୁ ଗଲେ ଏବଂ ରାଜାଙ୍କୁ କହିଲେ ଯେ ତୁରନ୍ତ ଯୁଦ୍ଧ ବାଦ୍ୟ ଭେରୀ ଓ ତୂରୀ ଆଦି ବଜାଇବାର ବ୍ୟବସ୍ଥା କରାଯାଉ।
ରାଜାଙ୍କ ଆଦେଶରେ ଅବିଳମ୍ବେ ଗଗନ ପବନ ଯୁଦ୍ଧ ବାଦ୍ୟରେ ଭରି ଉଠିଲା। ସେତ ଯେମିତି ହାତୀ ଦେହରେ ଖେଳିଗଲା ଶହେ ହାତୀର ବଳ। ସେ ଛିଡ଼ା ହୋଇପଡ଼ି ଆଗକୁ ବଢ଼ିବାର ଉଦ୍ୟମ କଲା। ଏବେ କେବଳ ଅନ୍ୟମାନେ ଟିକିଏ ହାତ ମାରି ଦେବା ମାତ୍ରକେ ସେ ଗର୍ଜନ କରି ଏକା ଥରକେ ବାହରକୁ ବାହାରି ଆସିଲା।
ସାଧୁ କହିଲେ- ମହାରାଜ, ସବୁ ହେଉଛି ମନର ବଳ। ମଣିଷ ହେଉ ବା ପଶୁ; ମନ ଦୃଢ଼ ହେଲେ ସବୁ ସମ୍ଭବ।