ଶସ୍ତା ତାଳି

ଏକ ଅତି ଉଚ୍ଚ ପର୍ବତର ଖୋଲରେ ବାସ କରୁଥିଲା ଗୋଟିଏ ଇଗଲ୍‌। ତାର ଆକାର ଏତେ ବିଶାଳ ଥିଲା ଯେ ଅନ୍ୟ ଇଗଲମାନେ ତା ଆଗରେ ଛୁଆ ଭଳି ଦିଶୁଥିଲେ। ସେ ଯେତେବେଳେ ପକ୍ଷ ବିସ୍ତାର କରି ଉଡୁଥିଲା ସେତିକି ବେଳେ ତାର ଡେଣାର ଛାଇ ମାଟି ଉପରେ ପଡୁଥିଲା ଏବ˚ କ୍ଷଣିକ ଲାଗି ସୂର୍ଯ୍ୟ ବି ତାର ଡେଣା ପଛରେ ଲୁଚି ଯାଉଥିଲେ। ସେ କିନ୍ତୁ ଏଥି ନେଇ ଭାରି ସତର୍କ ଥିଲା। ତା ମନରେ ଏଥି ଲାଗି ଗର୍ବ ନ ଥିଲା।

କିନ୍ତୁ ତାର ଏ ବିଶାଳ ଓ ସୁନ୍ଦର ଶରୀର ଦେଖି ଈର୍ଷାରେ ଜଳି ଯାଉଥିଲା ଏକ ବୃଦ୍ଧ ଇଗଲ। ସେ ତାର ଅନିଷ୍ଟ ଚାହୁଥିଲା। ବିଶାଳ ଇଗଲର ପୁଅ ଯେତେବେଳେ ଛୁଆରୁ ବଡ଼ ହେଲା ସେତିକି ବେଳେ ଦେଖାଗଲା ଯେ ସେ ବି ବାପ ଭଳି ବିଶାଳ ଓ ସୁନ୍ଦର ହେବାର ସମସ୍ତ ଲକ୍ଷଣ ବହନ କରିଛି।

ଛୁଆ ଇଗଲ ଉଡ଼ି ଶିଖିଲା। ପ୍ରଥମ ଉଡ଼ାଣରେ ସେ ବାହାରିଲା। ଏହା ଦେଖି ବୃଦ୍ଧ ଇଗଲ ଆହୁରି ଈର୍ଷାତୁର ହୋଇଗଲା ଏବ˚ ସଇତାନକୁ ସୁମରଣା କଲା। ସଇତାନ ତା କାନରେ ବୁଦ୍ଧି ଦେଇଦେଲା। ବୃଦ୍ଧ ଇଗଲ ଏଥର ତାର କିଛି ବନ୍ଧୁଙ୍କୁ ଡାକି କହିଲା- ଆମ ରାଜାର ପୁଅ ଏବେ ଉଡ଼ାଣ ନେବାକୁ ଯାଉଛି। ତୁମେମାନେ ସେଠାକୁ ଯାଅ। ସେ ଯେତେବେଳେ ଉଡ଼ିବା ଆରମ୍ଭ କରିବ, ତୁମେ ସେତେବେଳେ ବାଃ ବାଃ କହି ତାଳି ମାରିବ।

ପ୍ରଥମ ଦିନ ଉଡ଼ାଣ ସାରି ଇଗଲ୍‌ ପୁଅ ବାପାଙ୍କ ପାଖରେ ପହଞ୍ଚିଲା। ବାପା ପଚାରିଲା- ଆଜିକାର ଅନୁଭୂତି କଅଣ? ତୋର ପ୍ରଥମ ଉଡ଼ାଣ କେମିତି ଥିଲା?

ପୁଅ ଗଦଗଦ ହୋଇ କହିଲା- ବାପା ଚମତ୍କାର। ମୁଁ ଯେତେବେଳେ ଉଡ଼ିବା ଆରମ୍ଭ କଲି ସେତିକି ବେଳେ ତାଳି ଶବ୍ଦ ମୋ କାନରେ ପଡ଼ିଲା। ମୁଁ ଦେଖିଲି ଯେ ମୋ ଉଡ଼ାଣ ଦେଖି ତୁମର ବନ୍ଧୁମାନେ ତାଳି ମାରି କହୁଛନ୍ତି- ଚମତ୍କାର, ଅତି ଚମତ୍କାର।

ଏହା ଶୁଣି ବାପର ଚେହେରାରେ ଚିନ୍ତା ଫୁଟି ଉଠିଲା। ସେ କହିଲା- ପୁଅ ସାବଧାନ। ତୁ କୌଣସି ପ୍ରୟାସ ଆରମ୍ଭ କରୁ କରୁ ଯଦି ତାଳି ମାଡ଼ ଶୁଣିଲୁ ତେବେ ଜାଣିବୁ ଯେ ତାହା ସଇତାନର ଫିକର। ତୁ କେବେ ଆଉ ଉନ୍ନତି କରିପାରିବୁ ନାହିଁ। ଈଶ୍ବରଙ୍କ ତାଳି ମାଡ଼ ବହୁ ବିଳମ୍ବରେ ଶୁଭେ। ପ୍ରୟାସ କରି କରି ଥକିଲା ପରେ ଈଶ୍ବର ତାଳି ମାରନ୍ତି। ତେଣୁ ଏମିତି ଶସ୍ତା ତାଳିକୁ ସାବଧାନ।

ସମ୍ବନ୍ଧିତ ଖବର