ଗୋଟିଏ ଗାଁରେ ସମସ୍ତେ ଥିଲେ ଈଶ୍ବର ବିଶ୍ବାସୀ। ସେମାନେ ନିୟମିତ ଭାବେ ମନ୍ଦିର ଯାଉଥିଲେ, କୀର୍ତ୍ତନ କରୁଥିଲେ, ସତ୍‌ସଙ୍ଗ କରୁଥିଲେ। କିନ୍ତୁ କେବଳ ଜଣେ ଲୋକ ତାହା ନିୟମିତ ଭାବେ କରୁ ନ ଥିଲା। ତାକୁ ଅନ୍ୟମାନେ ନାସ୍ତିକ ବୋଲି କହୁଥିଲେ।

Advertisment

ଥରେ ସେ ଅଞ୍ଚଳରେ ବର୍ଷା ହେଲା ନାହିଁ। ଚାଷ ଜମି ପଡ଼ିଆ ପଡ଼ିଲା। ଗାଁ ଲୋକେ କିନ୍ତୁ ଡରିଲେ ନାହିଁ। ସେମାନେ ଭଗବାନଙ୍କୁ ପ୍ରାର୍ଥନା କଲେ, ହୋମ ଯଜ୍ଞ ଆଦି କଲେ। ମନ୍ଦିରରେ ଉତ୍ସବ ଆଦିର ଆୟୋଜନ କଲେ। କିନ୍ତୁ ନାସ୍ତିକ ଜଣକ ବର୍ଷା ନ ହେବା ସତ୍ତ୍ବେ ଚାଷ ଜମିକୁ ଗଲା। ଆଖପାଖରୁ ପାଣିର ବ୍ୟବସ୍ଥା କରି ଯାହିତାହି ହେଉ ପଛକେ ଜଳସେଚନର ବ୍ୟବସ୍ଥା କଲା। ସେଥିଲାଗି ହାଡ଼ଭଙ୍ଗା ପରିଶ୍ରମ କଲା। ଦିନ ଯାକର ପରିଶ୍ରମ ପରେ ସେ କେବଳ ଶୋଇ ଯାଉଥିଲା, ପ୍ରାର୍ଥନା ଆଦି କରିବାର ସମୟ ତା ପାଖରେ ନ ଥିଲା।

ଚାରି ମାସ ଗଲା। ଗାଁ ଯାକର ସବୁ ଜମି ପଡ଼ିଆ ପଡ଼ିଥିବା ବେଳେ ସେଇ ନାସ୍ତିକର ଚକଡ଼ାରେ ଫସଲ ହସିଲା। ଗାଁ ଲୋକେ ବର୍ଷାକୁ ଅପେକ୍ଷା କରି ନିରାଶ ହେଲେ।
ସେମାନେ ଦିନେ ଜଣେ ସାଧୁଙ୍କୁ ପଚାରିଲେ- ଆମେ ଈଶ୍ବରଙ୍କୁ ଏତେ ପ୍ରାର୍ଥନା କରିବା ସତ୍ତ୍ବେ ଆମର ମନୋବାଞ୍ଛା ପୂରଣ ହେଲା ନାହିଁ। ଅଥଚ ନାସ୍ତିକ ଥରେ ବି ପ୍ରାର୍ଥନା ନ କରି କି ପ୍ରଭୁଙ୍କ ନାମ ନ ନେଇ ଏବେ ଫସଲ କାଟୁଛି।

ସାଧୁ କହିଲେ- ସେ ନାସ୍ତିକ ନୁହେଁ। ସେ ଉଦ୍‌ଯୋଗୀ। ଉଦ୍‌ଯୋଗୀର ପ୍ରାର୍ଥନା ହେଉଛି କର୍ମ ଏବଂ ପ୍ରୟାସ। ତେଣୁ ସେ ତାହା କଲା। ତାହା ଏକ ଭିନ୍ନ ପ୍ରାର୍ଥନା ଯାହା ପ୍ରାୟତଃ ଫଳ ଦେଖାଏ।