ଧନୀ ରାଜା

ଶିକ୍ଷକ ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ଇତିହାସର ସବୁଠାରୁ ଧନୀ ରାଜା ଭାବେ ଜଣା ମନସା ମୁସାଙ୍କ କଥା କହିଲେ। ପ୍ରାଚୀନ କାଳର ଏହି ଆଫ୍ରିକୀୟ ରାଜାଙ୍କୁ ଇତହାସରେ ସବୁଠାରୁ ଧନୀ ବୋଲି କୁହାଯାଏ। ଏହି କଥା କହୁଥିବା ବେଳେ ଶିକ୍ଷକ କହିଲେ କିଭଳି ଧନ ଠୁଳ କରିବାର ମୋହରେ ରାଜାମାନେ ଦିଗ୍‌ବିଜୟ କରୁଥିଲେ ଓ ବିଜିତ ରାଜ୍ୟରୁ ଲୁଣ୍ଠନ କରି ଧନରତ୍ନ ବୋହି ଆଣୁଥିଲେ। ଶିକ୍ଷକ ସିକନ୍ଦରଙ୍କ କଥା ବି କହିଲେ, ଯିଏ ଥିଲେ ଇତିହାସ ପ୍ରସିଦ୍ଧ ଦିଗ୍‌ବିଜୟୀ ଓ ଧନୀ ସମ୍ରାଟ।

ଏହି ସମୟରେ ଜଣେ ଛାତ୍ର ହାତ ଟେକିଲା। ଶିକ୍ଷକ ତାର ସଂଶୟର କାରଣ କ’ଣ ବୋଲି ପଚାରନ୍ତେ ପିଲାଟି କହିଲା- କିନ୍ତୁ ସାର୍‌ ମୋ ବାପା କହୁଥିଲେ ଯେ ପୃଥିବୀର ସବୁଠାରୁ ବଡ଼ ଧନୀ ଥିଲେ ଗୌତମ ବୁଦ୍ଧ?

ଶିକ୍ଷକ ହଠାତ୍‌ ଏହାର ମର୍ମ ବୁଝି ପାରିଲେ ନାହିଁ। ସେ ପଚାରିଲେ- ବାପାଙ୍କୁ ଏହାର କାରଣ କ’ଣ ବୋଲି ପଚାରିଛୁ?

ପିଲାଟି କହିଲା- ବାପା କହୁଥିଲେ ଯେ ଗୌତମ ବୁଦ୍ଧ ଏକ ରାଜପରିବାରରେ ଜନ୍ମ ହୋଇଥି‌େଲ। ତାଙ୍କ ପିତାଙ୍କ ଅକଳନ୍ତି ସଂପତ୍ତି ଏବଂ ସିଂହାସନ ଥିଲା। ଗୌତମ ଚାହିଁଥି‌େଲ ସେ ସବୁ ଆନନ୍ଦରେ ଉପଭୋଗ କରି ପାରିଥାଆନ୍ତେ। କିନ୍ତୁ ସେ ସବୁ ଐଶ୍ବର୍ଯ୍ୟକୁ ପାଦରେ ଆଡ଼େଇ ଦେଲେ। ତେଣୁ ଯିଏ ଧନ ପାଇ ସୁଦ୍ଧା ଧନ ଆଡ଼କୁ ଆଡ଼ ଆଖିରେ ଚାହେଁ ନାହିଁ, ସେ ସବୁଠାରୁ ଅଧିକ ଧନୀ। ଯେତେ ଧନ ପାଇଲେ ବି ଆହୁରି ଅଧିକ ପାଇବା ଲାଗି ହାଇଁପାଇଁ ହେଉଥିବା ଲୋକ ଅଧିକ ଧନୀ ନୁହେଁ। ମନସା ମୁସା ବା ଆଲେକଜାଣ୍ଡର ଧନୀ ରାଜା ନୁହନ୍ତି।

ଶିକ୍ଷକ କହିଲେ- ତୁ ଠିକ୍‌ କହିଛୁ।

ସମ୍ବନ୍ଧିତ ଖବର