ଜୟ ଓ ପରାଜୟ

ଥରେ ଜଣେ ମଲ୍ଲ ଯୋଦ୍ଧା ଗୋଟିଏ ସହରରେ ଘୋଷଣା କଲେ ଯେ ତାଙ୍କୁ ହରାଇବା ଭଳି ପୁଅ କେହି ଜନ୍ମି ନାହାନ୍ତି। ଏ କଥା ଶୁଣି ସ୍ଥାନୀୟ ମଲ୍ଲମାନେ କୁସ୍ତି କଲେ କିନ୍ତୁ ସମସ୍ତେ ହାରିଲେ। ଏହି ସମୟରେ ମୁଲ୍ଲା ନସିରୁଦ୍ଦିନ ମଧୢ ଘୋଷଣା କଲେ ଯେ ଏମିତି ପୁଅ ଜନ୍ମି ନାହାନ୍ତି ଯିଏ ତାଙ୍କୁ ହରାଇ ପାରିବ!

ଏବେ କଥାଟା ସାଂଘାତିକ ଜିଦବାଜିରେ ପରିଣତ ହେଲା। ନହନହକା ଓ ଦୁର୍ବଳ ମୁଲ୍ଲା ସେଇ ଦୁର୍ଦ୍ଦାନ୍ତ ମଲ୍ଲାଯୋଦ୍ଧାଙ୍କ ଆଗକୁ ଆସିଗଲେ। ଏବେ କୁସ୍ତି ଆରମ୍ଭ ହେବା ମାତ୍ରକେ ମୁଲ୍ଲା ମଲାଙ୍କ ଭଳି ତଳେ ପଡ଼ିଯାଇ କହିଲେ- ମୁଁ ତ ମୂଳରୁ ହାରି ସାରିଛି, ଆଉ କିଏ ମୋତେ ହରାଇ ପାରିବ?

ସମସ୍ତେ ମୁଲ୍ଲାଙ୍କୁ ଟାହିଟାପରା କଲା ବେଳକୁ ମୁଲ୍ଲା କହିଲେ- କଥାଟା ବୁଝ। ଏ ମଲ୍ଲକୁ ଏ ପୃଥିବୀରେ କେହି ନା କେହି କେବେ ନା କେବେ ହରାଇ ପାରିବେ। କିନ୍ତୁ ମୋ ଭଳି ଲୋକକୁ କେହି ହରାଇ ପାରିବେ ନାହିଁ। କାରଣ ଯିଏ ନିଜେ ମୂଳରୁ ହାରିବା ସ୍ବୀକାର କରିନିଏ, ତାକୁ ହରାଇବା ଲୋକେ ସଂସାରରେ ଜନ୍ମ ହୋଇ ନାହାନ୍ତି।

ଏହି କଥାଟି କହି ସାରି ଗୁରୁ କହିଲେ- ଏହା ପଛରେ ଏକ ଦର୍ଶନ ରହିଛି। ଏହା ଲାଓତ୍‌ ସୁଙ୍କ ଦର୍ଶନ। ସେ କହୁଥିଲେ ସିଂହାସନକୁ ଛାଡ଼ି ଦେବାକୁ ପ୍ରସ୍ତୁତ ଥିବା ରାଜାକୁ ଯୁଦ୍ଧରେ ହରାଇବ କିଏ? ମନୁଷ୍ୟର ଅହଂକାର ସଂଘାତ ଲାଗି ଉସୁକାଏ ଏବଂ ହାରଜିତ୍‌ର ପ୍ରଶ୍ନ ସେଥିରୁ ଉଠେ। କିନ୍ତୁ ନିରହଙ୍କାରୀ ବ୍ୟକ୍ତିର ପରାଜୟ ନାହିଁ। ଜୟ ଏବଂ ପରାଜୟ ତା’ ଲାଗି ଗୋଟିଏ ଦୃଷ୍ଟିରେ ସମାହିତ।

ସମ୍ବନ୍ଧିତ ଖବର