ଜେନ୍ ଗୁରୁ ନେନେଙ୍କ ନିକଟକୁ ଜଣେ ପରିଚିତ ଲୋକ ଆସିଲେ। ସେ ଟିକିଏ ଛୋଟେଇ ଚାଲୁଥିଲେ। ନେନେ ପଚାରିଲେ- କ’ଣ ହେଲା?
ସେହି ଲୋକ ଜଣକ କହିଲେ- କାଲି ମୁଁ ଏକ ଜରୁରୀ କାମରେ ତରତର ହୋଇ ଯାଉଥିବା ବେଳେ ଟେବୁଲର କୋଣଟି ମୋ ଦେହରେ ବାଜିଯିବାରୁ ହଠାତ୍ ରାଗ ଚଢ଼ିଗଲା ଏବଂ ହିତାହିତ ଜ୍ଞାନ ହରାଇ ନିଦା କାଠର ଟେବୁଲକୁ ଦେଲି ଗୋଟିଏ ଗୋଇଠା। ତା’ ପର ଠାରୁ ଏଇ ଅବସ୍ଥା।
ତା’ ପରେ ସେ କହିଲେ- ମୋର କଥା କଥାକେ ରାଗ ଚଢ଼ି ଯାଉଛି। କହିଲ ଦେଖି କେମିତି େସଥିରୁ ମୁକ୍ତ ହେବି?
ନେନେ କହିଲେ- ତାହା ହେଲେ କାମଟି କ୍ଷମା ମାଗିବାରୁ ଆରମ୍ଭ ହେଉ। ତୁମେ ଯାହା ଉପରେ ରାଗି ଯାଉଛ, ରାଗ ଶାନ୍ତ ହେବା ପରେ ପ୍ରଥମେ ତୁମ ତରଫରୁ ଯାଇ କ୍ଷମା ମାଗ। କ୍ରମେ ଦେଖିବ ରାଗିବା ଆଗରୁ ଏକ ଜାଗ୍ରତ ଭାବ ସୃଷ୍ଟି ହୋଇ ତୁମକୁ ନିୟନ୍ତ୍ରଣାଧୀନ କରିବ।
ସେହି ଆଗନ୍ତୁକ ସେଇ ଧାରା ମାନିବାକୁ ଅଗତ୍ୟା ରାଜି ହେଲେ।
ତା ପରେ ନେନେ କହିଲେ- ତାହା ହେଲେ ଏବେ ଯାଇ ଟେବୁଲକୁ କ୍ଷମା ମାଗି ଆସ।
ସେ ବ୍ୟକ୍ତି ବିସ୍ମିତ ହୋଇ କହିଲେ- ଟେବୁଲ ତ ନିର୍ଜୀବ! ତାକୁ ପୁଣି କ୍ଷମା ମାଗିବାକୁ ହେବ?
ନେନେ କହିଲେ- ରାଗ ଥଣ୍ଡା ହେବା ପରେ ଏବେ କହୁଛ ତାହା ନିର୍ଜୀବ, କିନ୍ତୁ ଗୋଇଠା ମାରିଲା ବେଳକୁ ତୁମକୁ ଲାଗିଲା ଯେ ତାର ଜୀବନ ଅଛି ଆଉ ତାହା ତୁମକୁ ଆଘାତ ଦେଉଛି!
ତେଣୁ ଯାହା ଭାବି ଗୋଇଠା ମାରିଥିଲ, ସେମିତି ଭାବି କ୍ଷମା ମାଗ।