ଜଣେ ବିଶିଷ୍ଟ ଗୁରୁ ଥିଲେ। ଥରେ ଦଳେ ଯୁବକ ତାଙ୍କ ଶିଷ୍ୟତ୍ବ ନେବାକୁ ଆସି ପହଞ୍ଚିଲେ। ସେ ସମସ୍ତଙ୍କୁ ଗୋଟିଏ ସରଳ ପ୍ରଶ୍ନ ପଚାରିଲେ। ପ୍ରଶ୍ନଟି ଥିଲା- ତୁମ ଜୀବନର ଲକ୍ଷ୍ୟ କ’ଣ?
ଯୁବକମାନେ ଭିନ୍ନ ଭିନ୍ନ ଉତ୍ତର ଦେଲେ। କିନ୍ତୁ ପ୍ରତ୍ୟେକ କହିଲେ ଯେ ସେମାନେ ନିଜ ଲକ୍ଷ୍ୟରେ ସଫଳ ହେବାକୁ ଚାହାନ୍ତି ଏବଂ ସେଥି ଲାଗି ଦିଗଦର୍ଶନ ସକାଶେ ଆସିଛନ୍ତି। କିନ୍ତୁ କେବଳ ଜଣେ ତରୁଣ କହିଲା ଯେ ସଫଳତା ପ୍ରାପ୍ତି ଉପରେ ଆଖି ନ ରଖି ସେ ଦିଗରେ କେବଳ ନିଷ୍ଠାର ସହିତ ଯାତ୍ରା କରିବା ହେଉଛି ତାର ଧ୍ୟେୟ।
ଗୁରୁ କହିଲେ- ଯାହା କହୁଛ, ତାକୁ ବୁଝାଅ।
ତରୁଣ କହିଲା- ମୋର ପିତା ଜଣେ ବଣିକ। ଥରେ ତାଙ୍କ ଜାହାଜ ଦୁର୍ଘଟଣାଗ୍ରସ୍ତ ହେଲା। ସେ ଓ ତାଙ୍କର ଜଣେ ବନ୍ଧୁ କୌଣସିମତେ ପହଁରି କୂଳରେ ଲାଗିଲେ। ଏବେ ସେମାନେ ଘରକୁ ଫେରିବା କଥା ଚିନ୍ତା କଲେ। କିନ୍ତୁ ଏତେ ଦୂର ବାଟ ଅତିକ୍ରମ କରି ଘେର ପହଞ୍ଚିବା ଅସମ୍ଭବ ଭଳି ଲାଗିଲା। ବନ୍ଧୁ ଜଣକ ହତୋତ୍ସାହିତ ହୋଇ ମୃତ୍ୟୁ ନିଶ୍ଚିତ ବୋଲି ମ୍ରିୟମାଣ ହୋଇପଡ଼ିଲେ। କିନ୍ତୁ ମୋ ପିତା ଗୋଟିଏ ସୂତ୍ର ଦେଲେ। ତାହା ହେଲା ବଞ୍ଚି ରହିବାକୁ ଚେଷ୍ଟା କରିବା ସହିତ ପ୍ରତି ଦିନ କିଛି ପାଦ ଆଗକୁ ଯିବା। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଧ୍ୟେୟ ନ ହୋଇ କେବଳ ପ୍ରତି ଦିନ କିଛି ପାଦ ଚାଲିବା ଧ୍ୟେୟ ହେବ।
ଏମିତି ଭାବେ ଯାତ୍ରା ଜାରି ରହିଲା। ଅନେକ ମାସ ପରେ ସେମାନେ ଦୁହେଁ ନିଜ ସହରରେ ପହଞ୍ଚିଲେ। ଯଦିଓ ସେତେବେଳକୁ ସେମାନେ ଭିକ୍ଷୁକ ଭଳି ହୋଇଯାଇଥିଲେ, କିନ୍ତୁ ପିତାଙ୍କ ଏହି ଯାତ୍ରା ମୋତେ ଶିକ୍ଷା ଦେଲା ଯେ ସଫଳ ହେବାର ଲକ୍ଷ୍ୟ ଗୁରୁତ୍ବପୂର୍ଣ୍ଣ ନୁହେଁ; ବଡ଼ କଥା ହେଲା ଲକ୍ଷ୍ୟ ପୂରଣ ଦିଗରେ ପ୍ରତି ଦିନ ନିଷ୍ଠାର ସହିତ ଅଗ୍ରସର ହେବା।