ଭାଗ୍ୟ ଭୋଗ

ଜଣେ ବିଖ୍ୟାତ ଜ୍ୟୋତିଷ ବାଟରେ ଯାଉଥିବା ବେଳେ ନଈ କୂଳରେ ଗୋଟିଏ ମଣିଷ ଖପୁରି ପଡ଼ିଥିବାର ଦେଖିଲେ। ସେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଖପୁରିର କପାଳରେ ସେ ଦେଖିପାରିଲେ ଯେ ଏହାକୁ ଏକଦା ଧାରଣ କରିଥିବା ଲୋକର କଷଣ ସରି ନାହିଁ; ତାକୁ ଆହୁରି ଭୋଗିବାର ଅଛି। କୌତୂହଳ ପରବଶ ହୋଇ ସେ ତାକୁ ସାଙ୍ଗରେ ନେଇ ଆସିଲେ ଏବଂ ଘରେ କାଳେ କାହାର ଏ ନେଇ ସନ୍ଦେହ ହେବ, ତାକୁ ଗୋଟିଏ ଜାଗା‌ରେ ଲୁଚାଇ ରଖିଲେ।

ଏମିତି କିଛି ଦିନ ଗଲା ପରେ ଦିନେ ତାଙ୍କ ପତ୍ନୀ ଘରର ଅଳିଆ ସଫା କରୁଥିବା ବେଳେ ଖପୁରିଟି ତାଙ୍କ ହାତରେ ପଡ଼ିଲା। ତାହାକୁ ଏମିତି ଲୁଚାଇଲା ଭଳି ରଖାଯାଇଥିବାରୁ ତାଙ୍କ ମନରେ ସନ୍ଦେହ ଉପୁଜିଲା। ସେ ଖପୁରିଟିକୁ ନେଇ ତାଙ୍କ ସ୍ବାମୀଙ୍କୁ ସାମନା କଲେ। ଜ୍ୟୋତିଷ ମହାଶୟ ଅଗତ୍ୟା ସତ କହିବାକୁ ବାଧ୍ୟ ହେଲେ। କିନ୍ତୁ ତାଙ୍କ ପତ୍ନୀ ଏହାକୁ ବିଶ୍ବାସ କଲେ ନାହିଁ। ସେ କହିଲେ ଯେ ଜ୍ୟୋତିଷଙ୍କ କେଉଁ ପୁରୁଣା ପ୍ରେମିକାର ଖପୁରିକୁ ସେ ସନ୍ତକ ସଦୃଶ ଲୁଚାଇ ସାଇତି ରଖିଛନ୍ତି। ଏମିତି କଥାରେ ଯୁକ୍ତିତର୍କ ହେଲା। ପତ୍ନୀ ରାଗି ଯାଇ ଖପୁରିକୁ ତ‌େଳ କଚାଡ଼ି ଦେଲେ। ସେତିକିରେ ମନ ଶାନ୍ତ ନ ହେବାରୁ ତାକୁ ଗୋଟିଏ ପଥରରେ ଛେଚି ଚୂନା କରିଦେଲେ।

ଜ୍ୟୋତିଷ ଏବେ ବୁଝି ପାରିଲେ ଯେ ଲୋକଟିର କପାଳରେ ଆହୁରି କ’ଣ ସବୁ ଭୋଗିବାର ଥିଲା!

ସମ୍ବନ୍ଧିତ ଖବର