ଜଣେ ବ୍ୟକ୍ତି ସିଦ୍ଧ ଗୁରୁଙ୍କ ସନ୍ଧାନରେ ବାହାରିଲେ। ଜଣେ କେହି ତାଙ୍କୁ କହିଲେ ହିମାଳୟର କେଉଁ ଏକ ରହସ୍ୟମୟ ସ୍ଥାନରେ ଜଣେ ସାଧୁ ରହନ୍ତି। ସେ ହିଁ ସିଦ୍ଧ ଗୁରୁ। କିନ୍ତୁ ତାଙ୍କର ଦେଖା ବହୁତ କମ୍‌ ଲୋକ ପାଆନ୍ତି। କାରଣ ସେ ହିମାଳୟର କେଉଁ ଅଭ୍ୟନ୍ତର ପ୍ର‌େଦଶରେ ରହନ୍ତି ଓ ଆହୁରି ଭିତରକୁ ଭିତରକୁ ଯାଉଥାନ୍ତି।

Advertisment

ସେହି ବ୍ୟକ୍ତି ତେଣୁ ହିମାଳୟ ଚାଲିଲେ ଏବଂ ପ୍ରାଣ ମୂର୍ଚ୍ଛା ଖୋଜିବାକୁ ଲାଗିଲେ। କିନ୍ତୁ ସାଧୁଙ୍କ ଦେଖା ମିଳିଲା ନାହିଁ। କେହି ଜଣେ ହେଲେ ମଧ୍ୟ ତାଙ୍କୁ ସାଧୁଙ୍କ ବିଷୟରେ କିଛି କହି ପାରିଲେ ନାହିଁ। କିନ୍ତୁ ସେ ଅନ୍ବେଷଣ ଜାରି ରଖିଲେ।

ଜଙ୍ଗଲ ଭିତରେ ବୁଲି ବୁଲି ସେ କେବଳ ଜଙ୍ଗଲ କୋଳି ଖାଇ ବଂଚିଲେ ଏବଂ ତାଙ୍କ ଶରୀର କଙ୍କାଳସାର ହୋଇଗଲା। କିନ୍ତୁ ସେ ଖୋଜି ଚାଲିଲେ। ଏମିତି ଖୋଜୁ ଖୋଜୁ ଅନେକ ବର୍ଷ ବିତିଗଲା।

ଦି‌ନକର କଥା। ତାଙ୍କୁ ଏକ ପତ୍ର କୁଡ଼ିଆ ଦିଶିଲା। ସେ ବହୁତ ଆଶା ନେଇ ସେଇ ଆ‌ଡ଼କୁ ଗଲେ। ଅତି ଦୁର୍ବଳ ହୋଇ ପଡ଼ିଥିବାରୁ ସେ ଏବେ ଘୁଷୁରି ଘୁଷୁରି ଯାଉଥିଲେ। ସେମିତି ଅବସ୍ଥାରେ ସେଠାରେ ପହଞ୍ଚି ସେ ଦେଖନ୍ତି ତ କୁଡ଼ିଆରେ କେହି ନାହାନ୍ତି। ଏମିତି ଲାଗୁଥିଲା ବହୁ ଦିନ ପର୍ଯ୍ୟନ୍ତ ସେଥିରେ କେହି ରହି ନାହାନ୍ତି ମଧ୍ୟ।

ଏବେ ତାଙ୍କ ଛାତି ବିଦୀର୍ଣ୍ଣ କରି କୋହ ବାହାରି ଆସିଲା। ତା ସହିତ ତାଙ୍କ ଆତ୍ମାରୁ ଏକ ସ୍ବର ଯେ ‘ଆଉ ଖୋଜିବି ନାହିଁ।’

ତାପରେ ସେଠାରେ ସେ ଅଚେତ ହୋଇ ପଡ଼ିଗଲେ।

ଚେତା ଆସିବା ବେଳକୁ ତାଙ୍କୁ ଅପୂର୍ବ ପ୍ରଶାନ୍ତି ଘେରି ରହିଥିଲା। ସେ ଦେଖିଲେ ତାଙ୍କ ପାଖରେ ବସି ଜଣେ ବୃଦ୍ଧ ତାଙ୍କ ମୁଣ୍ଡ ସାଉଁଳୁଛନ୍ତି। ସେହି ବୃଦ୍ଧ ଥିଲେ ସେ ଖୋଜୁଥିବା ସାଧୁ।

ସାଧୁ କହିଲେ- ତୋ ପାଖରେ ଥିବା ସେହି ଏକମାତ୍ର ଆକାଂକ୍ଷା ତୁ ଛାଡ଼ି ଦେଲୁ ବୋଲି ଦେଖା ହୋଇଗଲା। ତୁ ଏବେ ସବୁ କିଛି ପାଇଗଲୁ।