ଜଣେ ଭଦ୍ର ବ୍ୟକ୍ତି ତାଙ୍କ ପୁଅକୁ ଗୋଡ଼େ େଗାଡ଼େ ଜଗିଥିଲେ। ସେ ଯେମିତି ଅବାଟରେ ନ ଯାଏ, ଠିକଣା ଭାବେ ବଡ଼ ହୁଏ, ସେଥି ଲାଗି ସର୍ବଦା ତତ୍ପର ଥିଲେ। ସବୁ ବେଳେ ତା’ ଜୀବନରେ ହସ୍ତକ୍ଷେପ କରୁଥିଲେ।
ପିଲାଟି କିନ୍ତୁ ଥିଲା ଅତ୍ୟନ୍ତ ବିଚକ୍ଷଣ। ସେ କିଶୋର ଅବସ୍ଥାରେ ପହଞ୍ଚିଲା। ଥରେ ସେ ବାପାଙ୍କୁ କହିଲା- ଗୋଟିଏ ମାଟି କୁଣ୍ଡ ଠିକ୍ କରିଛି ଯେଉଁଥିରେ ମଞ୍ଜିଟିଏ ପୋତି ଗଛ କରିବି।
ବାପା କହିଲେ- ଭଲ କଥା।
ପିଲାଟି ତାହା କଲା। ପ୍ରତି ଦିନ ସକାଳେ କୁଣ୍ଡରେ ପାଣି ଦେଲା ଏବଂ ସଂଧ୍ୟାରେ ମାଟି ଆଡ଼େଇ ଦେଖିଲା ଯେ ମଞ୍ଜିରେ ଗଜା ହେଲାଣି କି ନାହିଁ। ଏମିତି କିଛି ଦିନ ଗଲା ପରେ ମଞ୍ଜିଟି ନଷ୍ଟ ହେବାକୁ ବସିଲା ଏବଂ ସେତିକି ବେଳେ ବାପା ପଚାରିଲେ- କ’ଣ କରୁଛୁ। ମଞ୍ଜିରୁ ଗଜା ବାହାରିଲା କି ନାହିଁ?
ପିଲାଟି କହିଲା- ପ୍ରତି ଦିନ ମାଟି ଖୋଳି ଦେଖୁଛି, କିନ୍ତୁ ଗଜା ବାହାରି ନାହିଁ।
ବାପା ବିରକ୍ତ ହୋଇ କହିଲେ- ବୁଦ୍ଦୁ କାହାଁକା! ସେମିତି କ’ଣ ହୁଏ? ମଞ୍ଜିକୁ ଟିକିଏ ଶାନ୍ତିରେ ଛାଡ଼ି ଦେଲେ ତହିଁରୁ ଆପେ ଆପେ ଗଜା ବାହାରନ୍ତା!
ପିଲାଟି ଏବେ ହସି ଦେଲା। ବାପା ଆହୁରି ବିରକ୍ତ ହୋଇ ପଚାରିଲେ- ହସୁଛୁ କାହିଁକି?
ପିଲାଟି କହିଲା- ସତ କହିବି। କିନ୍ତୁ ରାଗିବ ନାହିଁ। ତୁମେ ମୋତେ ଠିକ୍ ସେମିତି ବଡ଼ କରୁଛ। ଅଙ୍କୁର ଦୁଇ ପତ୍ର ମେଲାଇବା ଲାଗି ମୁଁ ଯେମିତି ମଞ୍ଜିକୁ ତର ଦେଲି ନାହିଁ, ସେମିତି ତୁମେ ମୋ ସହିତ କରୁଛ।
ବାପା ନିରବ ରହିଲେ। କାରଣ ପୁଅ ପୂରା ଠିକ୍ କଥାଟି କହୁଥିଲା। ଏହା ସହିତ ବାପା ବୁଝି ପାରିଥିଲେ ଯେ ତାଙ୍କ ସନ୍ତାନର ବୋଧଶକ୍ତି ଯେଉଁ ସ୍ତରରେ ପହଞ୍ଚିଲାଣି, ସେ ଆଉ ପଥ ଭ୍ରଷ୍ଟ ହେବାର ସମ୍ଭାବନା ନାହିଁ। ଏଣିକି ସେ ପୁଅ ସହିତ ବନ୍ଧୁ ଭଳି ବ୍ୟବହାର କଲେ।