ଜଣେ ଗୁରୁଙ୍କ ପାଖରେ ପହଞ୍ଚିଲା ଜଣେ ଯୁବକ ଏବଂ କହିଲା- ମୁଁ ସତ୍ୟକୁ ଜାଣିବାକୁ ଚାହେଁ।

ଗୁରୁ କହିଲେ- ସତ୍ୟ ସମ୍ବନ୍ଧରେ ଜାଣିବାକୁ ଚାହଁ ନା ସତ୍ୟକୁ ଜାଣିବାକୁ ଚାହଁ?

ଶିଷ୍ୟ କହିଲା- ଏହି ଦୁଇଟି ବିଷୟରେ ପ୍ରଭେଦ କ’ଣ ଟିକିଏ ବୁଝାଇଦେବେ କି?

Advertisment

ଗୁରୁ କହିଲେ- ସତ୍ୟକୁ ଜାଣିବାକୁ ଆସିଥିବା ଲୋକେ ପ୍ରାୟତଃ ସତ୍ୟ ବିଷୟରେ ଜାଣି ଫେରନ୍ତି। ସେଥି ଲାଗି ସାଧନା କରନ୍ତି, ଶାସ୍ତ୍ର ପଢ଼ନ୍ତି, ପଣ୍ଡିତରେ ପରିଣତ ହୁଅନ୍ତି ଏବଂ କିଛି ଦିନ ପରେ ଯେତେବେଳେ ସେମାନଙ୍କର ହୃଦ୍‌ବୋଧ ହୁଏ ଯେ ସେମାନେ ବହୁତ କିଛି ଜାଣିଗଲେ ମୋ ଠାରୁ ବିଦାୟ ନେଇ ଫେରି ଯାଆନ୍ତି। ଅନ୍ୟକୁ ସତ୍ୟର ଉପଲବ୍‌ଧି କରାଇବା ଲାଗି ପ୍ରବଚନ ଦିଅନ୍ତି। ଆଉ ଯଦି କୌଣସି ବ୍ୟକ୍ତି ସତ୍ୟକୁ ଜାଣିବାକୁ ବସେ ତେବେ ତାକୁ ରୂପାନ୍ତରିତ ହେବାକୁ ପଡ଼େ; ନିଜକୁ ନିଃଶେଷ କରି ଦେବାକୁ ପଡ଼େ; ନିଜ ଭିତରେ ପ୍ରଜ୍ଞାର ଦୀପ ଜଳାଇବାକୁ ପଡ଼େ। ସେ ପଣ୍ଡିତ ହୋଇ ପାରେନାହିଁ। ପଣ୍ଡିତମାନେ ତାକୁ ଅପଦାର୍ଥ ବୋଲି ମଧ୍ୟ କହିପାରନ୍ତି।

ଯୁବକ ପଚାରିଲା- ଏ ଆଶ୍ରମରେ କ’ଣ କେହି ଜଣେ ନାହିଁ ‌ଯିଏ ସତ୍ୟକୁ ଉପଲବ୍‌ଧି କରିଛି!

ଗୁରୁ କହିଲେ- ଜଣେ ମାତ୍ର ଅଛି। କିନ୍ତୁ ମୋ ଛଡ଼ା କେହି ତା ବିଷୟରେ ଜାଣନ୍ତି ନାହିଁ। ଆସ ଦେଖିବ।

ଏହା କହି ଗୁରୁ ଯୁବକକୁ ଡାକି ନେଲେ। ଯୁବକ ଦେଖିଲା ଜଣେ ବ୍ୟକ୍ତି ନିରବରେ ଧାନ କୁଟୁଛି।

ଗୁରୁ କହିଲେ- ଏ ସେହି ବ୍ୟକ୍ତି ଯିଏ ସତ୍ୟ ଜାଣିବାକୁ ଆଗ୍ରହୀ ହେଲା। ୟେ ଆଶ୍ରମର ପାଞ୍ଚ ଶହ ଅନ୍ତେବାସୀଙ୍କ ଲାଗି ପ୍ରତ୍ୟହ ଚାଉଳ ତିଆରି କରିଥାଏ ଏବଂ ଗଲା ବାର ବର୍ଷ ଧରି ନିରବଚ୍ଛିନ୍ନ ଭାବେ କରି ଚାଲିଛି। ତା’ ମନରେ କୌଣସି ପ୍ରଶ୍ନ, ବିରକ୍ତି, ଦ୍ବନ୍ଦ୍ବ, ଆକାଂକ୍ଷା ନାହିଁ। ମନର ସମସ୍ତ ଉଦ୍‌ବେଳନରୁ ସେ ମୁକ୍ତ। ସେ ମନରୁ ମଧ୍ୟ ମୁକ୍ତ। ସେ ସତ୍ୟକୁ ଉପଲବ୍‌ଧ ହୋଇ ସାରିଲାଣି। ମୋ ଅନ୍ତେ ସେ ମୋର ଏହି ଉତ୍ତରାଧିକାର ଜଷ୍ଟିଟି ଲାଭ କରିବ। କିନ୍ତୁ ମୁଁ ତାକୁ ଦୂରକୁ ପଠାଇ ଦେବି। କାରଣ ସତ୍ୟ ସମ୍ବନ୍ଧରେ ଜାଣିଥିବା ମୋ ଆଶ୍ରମର ପଣ୍ଡିତ ଶିଷ୍ୟମାନେ ତାକୁ ଗ୍ରହଣ କରିବେ ନାହିଁ।