ଜଣେ ଜେନ୍‌ ଗୁରୁ ଥିଲେ। ତାଙ୍କର ବେଶ୍‌ ପ୍ରସିଦ୍ଧି ଥିଲା। କୁହାଯାଉଥିଲା ଯେ ତାଙ୍କ ସହିତ ଦୁଇ ପଦ କଥାରେ ଲୋକଙ୍କ ଚୈତନ୍ୟ ଉଦୟ ହୋଇ ଯାଉଥିଲା। ସୁତରାଂ, ରାଜ୍ୟର ରାଜା ତାଙ୍କୁ ଭେଟିବାକୁ ବାହାରିଲେ।

Advertisment

ଆଶ୍ରମରେ ପହଞ୍ଚି ରାଜା ଗୁରୁଙ୍କୁ କହିଲେ- ମୁଁ ଆପଣଙ୍କ ସୁନାମ ଶୁଣି ଆସିଛି। ମୋ ମନ ଅନେକ ପ୍ରଶ୍ନରେ ଭରା। ଶୁଣିଛି ଯେ ଆପଣଙ୍କ ଠାରେ ସବୁ ପ୍ରଶ୍ନର ଉତ୍ତର ଅଛି। ଦୟା କରି ମୋ ମନରେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ।

ଜେନ୍‌ ଗୁରୁ କହିଲେ- ରାଜା, ଆପଣ ଯଦି ମୋ ଠାରୁ ପ୍ରଶ୍ନର ଉତ୍ତର ଚାହୁଁଛନ୍ତି, ତେବେ ନିରାଶ ହେବେ। ପ୍ରଶ୍ନର ଉତ୍ତର ଦେବା ଲାଗି ବହୁତ ପଣ୍ଡିତ ଅଛନ୍ତି, ଅନେକ ଶାସ୍ତ୍ର ଅଛି। ମୋ ପାଖରେ କୌଣସି ଉତ୍ତର ନାହିଁ।

ରାଜା କହିଲେ- ତାହା ହେଲେ ମୋ ଭଳି ବ୍ୟକ୍ତିକୁ ଆପଣ କିଭଳି ସାହାଯ୍ୟ କରିପାରିବେ?

ଜେନ୍‌ ଗୁରୁ କହିଲେ- ମୋ ପାଖରେ କୌଣସି ଉତ୍ତର ନ ଥିବା ଭଳି ମୋ ପାଖରେ କୌଣସି ପ୍ରଶ୍ନ ମଧ୍ୟ ନାହିଁ। ମୁଁ ପ୍ରଶ୍ନ ମୁକ୍ତ ହୋଇସାରିଛି। ଯଦି ଚାହାନ୍ତି ତେବେ ଆପଣ ମୋତେ ନିଜ ମନରେ ଉଠୁଥିବା ପ୍ରଶ୍ନମାନ ପଚାରି ପାରନ୍ତି, ଯାହା ହେଲେ ମୁଁ ସେ ସବୁକୁ ଭାଙ୍ଗିରୁଜି ପକାନ୍ତି; ଆପଣଙ୍କ ମନରୁ ପ୍ରଶ୍ନମାନଙ୍କୁ ମୂଳରୁ ଉପାଡ଼ି ଦେଇ ପାରନ୍ତି। ଆପଣଙ୍କ ମନରୁ ପ୍ରଶ୍ନ ଲୋପ କରି ଦିଅନ୍ତି। ଏବେ କହନ୍ତୁ ଆପଣ ଉତ୍ତର ଚାହାଁନ୍ତି ନା ପ୍ରଶ୍ନରୁ ମୁକ୍ତ ହେବାକୁ ଚାହାଁନ୍ତି?

ରାଜା ଏଭଳି କଥା ଶୁଣି କ୍ଷଣେ ତଟସ୍ଥ ହୋଇ ରହିଗଲେ। ତାଙ୍କୁ ଲାଗିଲା ସତେ ଯେମିତି ତାଙ୍କ ଠାରେ ଏକ ନୂତନ ଜ୍ଞାନର ଜାଗରଣ ହେଲା। ସେ ସଂଭ୍ରମତାର ସହିତ କହିଲେ- ମହାଭାଗ ମୋତେ ସମସ୍ତ ପ୍ରଶ୍ନରୁ ମୁକ୍ତ କରି ଦିଅନ୍ତୁ।