ଥରେ ସୁଫି ଫକିର ଫରିଦ ଦେଖିଲେ ଯେ ଜଣେ ପହିଲିମାନ ଗଳଦ୍ଘର୍ମ ହୋଇ ଗୋଟିଏ ବଣୁଆ ଘୋଡ଼ାକୁ ମଣ କରିବାର ଉଦ୍ୟମ କରୁଛି। କିନ୍ତୁ ଘୋଡ଼ାଟି ଅମିତ ଶକ୍ତିଶାଳୀ ଓ ଅମାନିଆ। ସେ ଜମାରୁ ବଶ୍ୟତା ସ୍ବୀକାର କରିବାକୁ ରାଜି ନୁହେଁ। ପହିଲିମାନ ଜଣକ ଯେମିତି ହେଲେ ତାକୁ କାବୁ କରି ତା ଉପରେ ଚଢ଼ିବାକୁ ପ୍ରୟାସରତ। କିନ୍ତୁ ଯେତେ ଥର ସେ ଘୋଡ଼ା ପିଠିରେ ବସୁଛି, ଘୋଡ଼ାଟି ତାକୁ ତଳକୁ ପକାଇ ଦେଉଛି। ଉଭୟ କ୍ଳାନ୍ତ, କିନ୍ତୁ ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି। ଘୋଡ଼ା ପାଟିରୁ ଫେଣ ବାହାରୁଛି ଏବଂ ପହିଲିମାନ ଅବଶ।
ଫରିଦ ଏବେ ପହିଲିମାନଙ୍କୁ କହିଲେ- ତୁେମ ଟିକିଏ ବିଶ୍ରାମ କର। ମୋତେ ସୁଯୋଗ ଦିଅ। ମୁଁ ତାକୁ ମଣ କରିଦେବି। ଫକିରଙ୍କ ଏ କଥା ଶୁଣି ପହିଲିମାନ କ’ଣ କହିବ ତାହା ପ୍ରଥମେ ବୁଝି ପାରିଲା ନାହିଁ, କିନ୍ତୁ ଭାବିଲା ଥରେ ସୁଯୋଗ ଦେଇ ଦେଖେ!
ପ୍ରଥମେ ଫକିର ଫରିଦ ଗୋଟିଏ ବଡ଼ ପାତ୍ରରେ ପାଣି ଆଣି ଘୋଡ଼ା ଆଗରେ ଥୋଇେଲ। କିଛି ସମୟର କୁଣ୍ଠା ପରେ ଘୋଡ଼ାଟି ପାଣି ପିଇଲା। ତା ପରେ ଫରିଦ ତାକୁ ଆଉଁସି ତା’ର ନିକଟତର ହେବାକୁ ଚେଷ୍ଟା କଲେ। ଘୋଡ଼ା ତରକିଲା। କିନ୍ତୁ ଫରିଦ ଅବିଚଳିତ ରହିଲେ। ଅସୀମ ଧୈର୍ଯ୍ୟର ସହିତ ଅନେକ ସମୟ ପରେ ଫରିଦ ଘୋଡ଼ାକୁ ଆପଣାଇବାରେ ଓ ତା’ର ବିଶ୍ବାସ ଜିଣିବାରେ ସଫଳ ହେଲେ। ସେ ଏବେ କେବଳ ଘୋଡ଼ା ପିଠିରେ ବସିଲେ ନାହିଁ, ପହିଲିମାନଙ୍କୁ ମଧ୍ୟ ତା ପିଠିରେ ସବାର କରାଇଲେ।
ଫରିଦ କହିଲେ- ହରାଇବା ଲାଗି ବଳ ପ୍ରୟୋଗର ଆବଶ୍ୟକତା ପଡ଼େ ଏବଂ ଜିଣିବା ଲାଗି ସ୍ନେହ ବଳରେ ହୋଇଥାଏ। ତୁମେ ଘୋଡ଼ାକୁ ହରାଇବା ଲାଗି ଚାହିଁଥିଲ। ମୁଁ ତାକୁ ଜିଣିବା ଲାଗି ଚାହିଁଲି। ଦୁଇଟା ଏକା କଥା ନୁହେଁ।