ଜଙ୍ଗଲର ରାଜା କିଏ ହେବ? ପଶୁମାନଙ୍କ ଭିତରେ ଏ ନେଇ ଆଲୋଚନା ଚାଲିଲା। କିନ୍ତୁ ଏକ ମତ ମିଳି ପାରିଲା ନାହିଁ। ତେଣୁ ସେମାନେ ବନ ଦେବତାଙ୍କୁ ପଚାରିଲେ। ବନ ଦେବତା କହିଲେ- ଏ ଜଙ୍ଗଲର ଯିଏ ସବୁଠାରୁ ଛୋଟ ଜୀବ ତା’ର ମତ ନିଅ। ସେ ଯାହା କହିବ।
ଏହା ଶୁଣି ଜଙ୍ଗଲ ଭିତରେ ଥିବା ପୋଖରୀ ହୁଡ଼ାରେ ରହୁଥିବା ଗୋଟିଏ ଛୋଟ ବେଙ୍ଗକୁ ଠାବ କରାଗଲା। ତାକୁ ପଚରାଗଲା- କହ ବଣର ରାଜା ହେବାକୁ କିଏ ଯୋଗ୍ୟ?
ବେଙ୍ଗ ଟିକିଏ ରହି ଯାଇ କହିଲା- ମୋ ମତରେ ହାତୀ ହିଁ ରାଜା ହେବାକୁ ଯୋଗ୍ୟ।
ସମସ୍ତେ ପଚାରିଲେ- କାହିଁକି?
ବେଙ୍ଗ କହିଲା- ଆଜ୍ଞାମାନେ, ମୁଁ ମୋ ପିଲାଛୁଆ ଧରି ଯେଉଁ ପୋଖରୀରେ ରହେ, ସେଇ ପୋଖରୀକୁ ପାଣି ପିଇବାକୁ ସମସ୍ତେ ଆସନ୍ତି। ହାତୀ ଭାଇ ମଧ୍ୟ ଆସେ। ମୋ ପିଲାମାନେ କୂଳରେ ବୁଲାବୁଲି କରୁଥାନ୍ତିି। କୌଣସି ଜନ୍ତୁ ପାଣି ପିଇବାକୁ ଆସିଲେ ଭୟରେ ଲୁଚନ୍ତି। କାରଣ କାହା ପାଦ ତେଳ ରହିଗଲେ ପ୍ରାଣ ଚାଲିଯିବାର ଭୟ। କିନ୍ତୁ ହାତୀ ଭାଇକୁ ଦେଖି ଲୁଚନ୍ତି ନାହିଁ। କାରଣ ସେ ଏ ବିଷୟରେ ଅତି ସତର୍କ ରହି ତଳକୁ ଦେଖି ଅତି ସନ୍ତର୍ପଣରେ ପାଦ ପକାଏ। ଥରେ ଅଧେ ଅଜାଣତରେ ପାଦ ପକାଇ ଦିଏ ତ ଆମ ପରିବାରରୁ କିଏ କିଏ ମରି ଯାଆନ୍ତି। କିନ୍ତୁ ହାତୀ ଭାଇ ଅତି ବିକଳ ହୋଇ ଆମକୁ କ୍ଷମା ମାଗେ।
ଅନ୍ୟମାନେ କହିଲେ- ତୋତେ କ୍ଷମା ମାଗେ ବୋଲି ହାତୀକୁ ବାଛିଲୁ?
ବେଙ୍ଗ କହିଲା- ନା, ତା’ ଭଳି ବଳଶାଳୀ ମୋ ଭଳି ଅକିଞ୍ଚନକୁ ଗୁରୁତ୍ବ ଦେବା ହିଁ ତା’ର ମହାନତା। ବନ ଦେବତା ସେଥି ଲାଗି କହିଥିଲେ ଯେ ସବୁଠାରୁ ଛୋଟ ଜୀବକୁ ପଚାର! ବିଚାରବନ୍ତମାନେ ସବୁ ବେଳେ ରାଜା ହେବା ଉଚିତ।