ପ୍ରସିଦ୍ଧ ଜେନ୍ ଗୁରୁ ତାଙ୍କ ଯୁବକ ଅବସ୍ଥାରେ ଶୁଣିଲେ ଯେ ଗୋଟିଏ ଜଙ୍ଗଲ ଭିତରେ ଜଣେ ଅତି ପ୍ରସିଦ୍ଧ ଜେନ୍ ଗୁରୁ ରହନ୍ତି। ଗୁରୁ କେବଳ ରାତିରେ ହିଁ କାହାକୁ ସାକ୍ଷାତ କରନ୍ତି। ତେଣୁ ହା ହୁଇ ରାତିରେ ଗୁରୁଙ୍କ ସାକ୍ଷାତ ଲାଗି ଚାଲିଲେ। କିନ୍ତୁ ସେ ଜାଣି ନ ଥିଲେ ଯେ ଗୁରୁଙ୍କ କୁଡ଼ିଆ ଆଗରେ ଗୋଟିଏ ବଡ଼ ଗାତ ଖୋଳା ହୋଇଛି। ହା ହୁଇ ଅନ୍ଧାରରେ ଜାଣି ନ ପାରି ଗାତରେ ପଡ଼ିଗଲେ। ବହୁ କଷ୍ଟରେ ଯେତେବେଳେ ସେ ଗାତରୁ ବାହାରି କର୍ଦ୍ଦମାକ୍ତ ହୋଇ ଗୁରୁଙ୍କ ପାଖରେ ପହଞ୍ଚିଲେ, ଗୁରୁ ପଚାରିଲେ- ତୁମେ କିଏ? ଏମିତି ଅବସ୍ଥା କେମିତି ହେଲା?
ହା ହୁଇ କହିଲେ- ମୁଁ ଆପଣଙ୍କ ଠାରେ ଶିଷ୍ୟ ହେବା ଲାଗି ଆସିଛି। ଆପଣଙ୍କ କୁଟୀର ଆଗରେ ଗାତଟିଏ ଥିଲା, ପଡ଼ିଗଲି ତେଣୁ ଏମିତି ଅବସ୍ଥା ହୋଇଛି।
ଗୁରୁ କହିଲେ- ବାବୁ ଘରକୁ ଯାଆ। ମୋତେ ଯାହା କହିଲୁ ତାକୁ ତିନି ମାସ ଧରି ବିଚାର କର। ଯଦି ସେଥିରୁ କିଛି ଭୁଲ୍ ବାହାର କରିପାରିବୁ ତେବେ ଆସିବୁ।
ହା ହୁଇ ଫେରିଗଲେ। ଗୁରୁ କହିଥିବା ଭଳି ବହୁତ ଭାବିଲେ ଓ ବହୁ ଲୋକଙ୍କୁ ପଚାରିଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ଦିନେ ଏମିତି ଭାବୁ ଭାବୁ ତାଙ୍କ ମନରେ ଉତ୍ତରଟି ହଠାତ୍ ଆଲୋକ ଭଳି ଜଳି ଉଠିଲା ଓ ସେ ତତ୍କ୍ଷଣାତ୍ ଗୁରୁଙ୍କ ପାଖକୁ ଦୌଡ଼ିଲେ।
ଗୁରୁ ପଚାରିଲେ- ଭୁଲ୍ ବୁଝିପାରିଲୁ?
ହା ହୁଇ କହିଲେ- ଆଜ୍ଞା, ଅସଲରେ ମୋର ହୋସ ନ ଥିଲା ବୋଲି ସେମିତି ହୋଇଥିଲା।
ଗୁରୁ କହିଲେ- ଏବେ ଭିତରକୁ ଆସ।
ହା ହୁଇଙ୍କ ଉତ୍ତରର ଅର୍ଥ ଥିଲା ଯେ ଗାତ ଥିଲା ବୋଲି ପଡ଼ିଗଲି କହିବାର ଅର୍ଥ ଦୋଷ ହେଉଛି ଗାତର, ମୋର ନୁହେଁ। ଏହା ଅହଙ୍କାର। ଠିକ୍ ଉତ୍ତର ମୋର ହୋସ ନ ଥିଲା ବୋଲି ପଡ଼ିଗଲି।