ଜଣେ ଅତ୍ୟନ୍ତ ଦରିଦ୍ର ଲୋକ ଥିଲା। ସବୁବେଳେ ଅଭାବ ଲାଗି ରହୁଥିବାରୁ ପାରିବାରିକ ଅଶାନ୍ତି ବଢୁଥିଲା। ଏମିତି ସ୍ଥିତିରେ ଦିନେ ଜଣେ ସିଦ୍ଧ ଋଷି ତା ଘରେ ପହଞ୍ଚି କହିଲେ- ମୁଁ ତୁମର ମନ କଷ୍ଟ ବିଷୟରେ ଜାଣି ପାରିଛି। ତେବେ, ମୋ ହାତରେ ମାତ୍ର ଜଣକର ଦୁଃଖ ମୋଚନ କରିବାର ବରଟିଏ ଥିବାରୁ ତୁମକୁ କହୁଛି ଯାହା ତୁମର ଇଚ୍ଛା ମାଗ।

Advertisment

ଏହି କଥାବାର୍ତ୍ତା ବେଳେ ସେଇ ଲୋକର ପତ୍ନୀ ବି ସେଠାକୁ ଆସିଯାଇଥିଲା। ସିଦ୍ଧ ଋଷିଙ୍କ କଥା ଶୁଣି ସେ ଗଦଗଦ ହୋଇ ସ୍ବାମୀକୁ କହିଲା- ଧନରତ୍ନ ଯାହା ପାରୁଛ ସବୁକିଛି ମାଗି ପକାଅ।

କିନ୍ତୁ ଲୋକଟି ଥିଲା ବୁଦ୍ଧିମାନ ଓ ବିଚାରବନ୍ତ। ସେ ବର ମାଗିଲା- ବାବା, ମୋ ସହିତ ମୋ ଗାଁର ସମସ୍ତଙ୍କୁ ଧନୀ କରିଦିଅ। ସିଦ୍ଧ ଋଷି ତତ୍‌କ୍ଷଣାତ୍‌ ତଥାସ୍ତୁ ବୋଲି କହି ଚାଲିଗଲେ।

ଆଖି ପିଛୁଳାକେ କେହି କିଛି ବୁଝିବା ଆଗରୁ ଗାଁର ଚେହେରା ବଦଳିଗଲା। ସମସ୍ତେ ଧନୀ ହୋଇଗଲେ। ଚାରିଆଡ଼େ ଆନନ୍ଦର କୋଳାହଳ ଖେଳିଗଲା। କେବଳ ଦୁଃଖରେ କାନ୍ଦି ପକାଇଲା ସେଇ ବ୍ୟକ୍ତିର ସ୍ତ୍ରୀ। ସେ ମୁଣ୍ତରେ ହାତ ମାରି କହିଲା- ନିର୍ବୋଧ, ଏ କ’ଣ କଲ? କେବଳ ନିଜ ଲାଗି ମାଗି ଥିଲେ କ’ଣ ଚଳି ନ ଥାଆନ୍ତା?

ସେହି ବ୍ୟକ୍ତି କହିଲା- ନା ଚଳି ନ ଥାଆନ୍ତା। ଦେଖ, ଆମେ ଯାହା ଚାହୁଁଥିଲେ, ତାହା ପାଇଛେ। ଅନ୍ୟମାନେ ପାଇଗଲେ ବୋଲି ଆମର କିଛି ଊଣା ହୋଇଗଲା କି? ଆମେ ମାନେ ଯାହା ପାଇଲେ ତାକୁ ଯଦି ଶାନ୍ତିରେ ଉପଭୋଗ କରିବାକୁ ଚାହିଁବା, ତେବେ ଆମ ଆଖପାଖର ସମସ୍ତେ ଆମ ଭଳି ହୋଇଯିବା ନିତାନ୍ତ ଜରୁରୀ।