ଜଣେ ବ୍ୟକ୍ତିର ତପସ୍ୟାରେ ତୁଷ୍ଟ ହୋଇ ଈଶ୍ବର ବର ଦେଲେ, କିନ୍ତୁ ସର୍ତ୍ତଟିଏ ରଖିଲେ। ଈଶ୍ବର କହିଲେ- ତୁ ଯାହା ଚାହିବୁ ତାହା ପାଇବୁ। ତେବେ ତୋ ଗାଁ ଲୋକେ ତାର ଦୁଇ ଗୁଣ ପାଇବେ।

Advertisment

ଲୋକଟି ବର ପାଇଲା ସତ କିନ୍ତୁ ଖୁସି ହୋଇ ପାରିଲା ନାହିଁ। ସେ ନିଜ ବର ବଳରେ ଖୁବ୍‌ ଧନୀ ହୋଇଗଲା ସତ, କିନ୍ତୁ ତା ନିଜ ଗାଁରେ ସବୁଠାରୁ ଅଧିକ ଗରିବ ହୋଇ ରହିଲା। କିନ୍ତୁ ଉପାୟ ନ ଥିଲା। ସେ ଈର୍ଷାରେ ଜଳି ଉଠୁଥିଲା।

ଦିନେ ତାକୁ ସୈତାନ ଦେଖା ଦେଇ କହିଲା- ଏବେ ମୋ କଥା ଅନୁସାରେ ବର ମାଗ, ତୋର ଦୁଃଖ ଦୂର ହେବ। ସୁତରାଂ, ଲୋକଟି ଏବେ ସୈତାନର କଥା ଅନୁସାରେ ବର ମାଗିଲା।

ସେ ବର ମାଗିଲା ଯେ ତା’ ଘର ଆଗରେ ଗୋଟିଏ କୂଅ ଖୋଳି ହୋଇଯାଉ। ସାଙ୍ଗେ ସାଙ୍ଗେ ତା ଘର ଆଗରେ କୂଅ ଖୋଳା ହୋଇଗଲା। କିନ୍ତୁ ଗାଁର ଅନ୍ୟମାନଙ୍କ ଘର ଆଗରେ ଦୁଇ ଦୁଇଟି କୂଅ ଖୋଳା ହୋଇଗଲା। ତା’ ପରେ ସେ ବର ମାଗିଲା ଯେ ତାର ଗୋଟିଏ ଆଖି ନଷ୍ଟ ହୋଇଯାଉ। ଏବେ ସେ ଗୋଟିଏ ଆଖିରେ ଦେଖି ପାରିଲା, କିନ୍ତୁ ଗାଁ ଲୋକଙ୍କ ଦୁଇଟି ଯାକ ଆଖି ଚାଲିଗଲା‌। ଗାଁରେ ହାହାକାର ପଡ଼ିଗଲା। ଏବେ ଗାଁ ଲୋକେ ସେମାନଙ୍କ ଘର ଆଗରେ ଥିବା କୂଅଗୁଡ଼ିକରେ ଗଳି ପଡ଼ିବାକୁ ଲାଗିଲେ। କିନ୍ତୁ ସେହି ଲୋକ ଗୋଟିଏ ଆଖିରେ ସବୁ ଦେଖି ପାରୁଥିଲା ଏବଂ ଗାଁରେ ଏବେ ଖୁବ୍ ଆନନ୍ଦରେ ବିଚରଣ କରିବାକୁ ଲାଗିଲା।

କଥାଟି କହି ସାରି ଗୁରୁ କହିଲେ- ତୁମେ ଯଥେଷ୍ଟ ପାଇଥିଲେ ବି ଖୁସିରେ ରହି ପାରନାହିଁ। କାରଣ ଅନ୍ୟ ସହିତ ତୁଳନା ତୁମକୁ ଦୁଃଖୀ ଏବଂ ଈର୍ଷା ଜର୍ଜର କରାଏ। ସେଇ କ୍ଷଣରେ ତୁମ ମନ ଭିତରେ ସୈତାନ ଘର କରିବାର ସୁଯୋଗ ପାଏ ଓ ତୁମକୁ ସେ ଚଳାଏ।