ଗୌତମ ବୁଦ୍ଧ ଗୋଟିଏ ଜନବସତିରେ ପହଞ୍ଚି ଥାଆନ୍ତି ଏବ˚ ଶିଷ୍ୟମାନଙ୍କ ସହିତ ଗୋଟିଏ ସ୍ଥାନରେ ରହୁଥାଆନ୍ତି। ସେମାନେ ସେଠାରେ ଦେଖନ୍ତି ଯେ ପ୍ରତ୍ୟହ ଜଣେ ବ୍ୟକ୍ତି ନିକଟବର୍ତ୍ତୀ ଏକ ରଙ୍ଗଶାଳାରେ ରାତି କାଟି ମଦ ନିଶାଗ୍ରସ୍ତ ହୋଇ ସେଇ ବାଟ ଦେଇ ଯାଉଛି। ସମ୍ଭବତଃ ସେ ସକାଳେ ନିଜ ବାସସ୍ଥାନକୁ ଯାଉଥାଏ। ଗୌତମ ବୁଦ୍ଧ ତାକୁ ଦେଖି ସ୍ମିତ ହସି ଦିଅନ୍ତି। ସେଇ ବ୍ୟକ୍ତି ମଧୢ ହସି ଦେଇ ଚାଲିଯାଏ। ଏ କଥା ବୁଦ୍ଧଙ୍କ ଶିଷ୍ୟମାନଙ୍କୁ ବିଚଳିତ କରେ।
ଦିନେ ସେମାନଙ୍କ ଭିତରୁ ଜଣେ ବୁଦ୍ଧଙ୍କୁ ପ୍ରଶ୍ନ କଲା- ତଥାଗତ, ଆପଣ ଯେଉଁ ବ୍ୟକ୍ତିକୁ ଦେଖି ହସୁଛନ୍ତି ସେ ଜଣେ ଭ୍ରଷ୍ଟ ଚରିତ୍ରର ବ୍ୟକ୍ତି। ସେ ବେଶ୍ୟାସକ୍ତ ଓ ନିଶାସକ୍ତ। ତା’ ସହିତ ଆପଣ ମିତ୍ରତା ବଢ଼ାଇବାକୁ ଚାହାନ୍ତି କାହିଁକି?
ବୁଦ୍ଧ ହସିଲେ ଓ କହିଲେ- ତୁମେ ତାହାକୁ ଯେଉଁ ସବୁ କାରଣରୁ ଭ୍ରଷ୍ଟ ବୋଲି କହୁଛ, ସେ କାରଣ ବାବଦରେ ମୁଁ ଅବଗତ। କିନ୍ତୁ ମୁଁ ତାକୁ ଭ୍ରଷ୍ଟ ବୋଲି କହିପାରୁନାହିଁ। କାରଣ ତା’ର ଚରିତ୍ରରେ ଗୋଟିଏ ଏମିତି ଉଜ୍ଜ୍ବଳ ଦିଗ ଅଛି, ଯାହା ତାକୁ ଅବାଟରୁ ବାଟକୁ ନେଇ ଆଣିପାରେ। ସେଇ ଉଜ୍ଜ୍ବଳ ଦିଗଟି ହେଉଛି ତା’ର ସାଧୁତା। ସେ ନିଜର ଅପକର୍ମକୁ ଲୁଚାଇବାକୁ ପ୍ରୟାସ କରୁନାହିଁ। ସେହି ଦୃଷ୍ଟିରୁ ସେ ଏମିତି ଅନେକ ଲୋକଙ୍କ ଠାରୁ ଢେର ଭଲ, ଯେଉଁମାନେ ତା’ ଭଳି ଅପକର୍ମ କରନ୍ତି ଅଥଚ ସମସ୍ତଙ୍କ ଆଗରେ ସଜ୍ଜନ ଭାବେ ଛିଡ଼ା ହୁଅନ୍ତି। ସେଭଳି ସଜ୍ଜନମାନଙ୍କୁ ଅବାଟରୁ ବାଟକୁ ଆଣିବା ଅସମ୍ଭବ। କିନ୍ତୁ ଏହି ବ୍ୟକ୍ତିକୁ ବାଟକୁ ଅଣା ଯାଇପାରିବ। କେବଳ ଜଣେ ମାର୍ଗଦର୍ଶକର ଅପେକ୍ଷା।
ଶିଷ୍ୟଟି କହିଲା- ଆପଣ ତ ସେହି ମାର୍ଗ ଦର୍ଶକ ହୋଇପାରିବେ!
ବୁଦ୍ଧ ସ୍ମିତ ହସି କହିଲେ- ସେଇଥି ଲାଗି ତ ମିତ୍ରତା ସୃଷ୍ଟିର ମୋ ଉଦ୍ୟମ!