ଗୁରୁଙ୍କୁ ଜଣେ ଅନୁଗାମୀ ପଚାରିଲା- ଯଦି ସବୁ କିଛି ଈଶ୍ବର ଦେଉଛନ୍ତି, ତେବେ କିଛି ପାଇବା ଲାଗି ପରିଶ୍ରମ କରିବାର ଆବଶ୍ୟକତା କ’ଣ? ଭାଗ୍ୟରେ ଯାହା ଅଛି ତାହା ତ ମିଳିବ!
ଗୁରୁ ଏ କଥା ଶୁଣି ସେଇ ବ୍ୟକ୍ତିକୁ ଗୋଟିଏ ଆମ୍ବ ଗଛ ମୂଳକୁ ଡାକିନେଲେ। ଏକ ବିଶାଳ ଆମ୍ବଗଛରେ ରସାଳ ଆମ୍ବ ଫଳିଥିଲା। ଗୁରୁ କହିଲେ- ଦେଖ, ଭଗବାନ ଆମକୁ ସୁସ୍ବାଦୁ ଆମ୍ବ ଦେଇଛନ୍ତି। ତୁମେ ଆମ୍ବ ପାଇବାକୁ ହେଲେ ଦୁଇଟି ମାର୍ଗ ଅଛି। ଗୋଟିଏ ହେଲା, ଆମ୍ବ ଗଛ ଚଢ଼ି ସୁସ୍ବାଦୁ ଆମ୍ବଟିଏ ତୋଳିବା। ଦ୍ବିତୀୟଟି ହେଲା, ଆମ୍ବ ଗଛ ମୂଳରେ ବସି ଆମ୍ବଟିଏ ପଡ଼ିବା ଯାଏଁ ଅପେକ୍ଷା କରିବା। ଏମିତି ବସି ରହିଲେ ଜଣେ ଅବଶ୍ୟ ଆମ୍ବଟିଏ ପାଇଯାଇପାରେ। କିନ୍ତୁ ଭଲ ଆମ୍ବଟିଏ ପାଇବା ଲାଗି ହେଲେ ତୁମକୁ ତଳୁ ଆମ୍ବଟିଏ ବାଛି ଲକ୍ଷ୍ୟ ସ୍ଥିର କରି ଚଢ଼ିବାକୁ ହେବ। ସେତିକି ପରିଶ୍ରମ କଲେ ଯାଇ ସେଇ ଆମ୍ବଟି ପାଇବ। କିନ୍ତୁ ତଳେ ବସି ରହିଲେ ଯେଉଁ ଆମ୍ବ ପଡ଼ିବ, ତାହା ଭଲ କି ଖରାପ ତାହା କହିହେବନାହିଁ। ଭଲ ବି ପଡ଼ିପାରେ, କିନ୍ତୁ ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଈଶ୍ବର ସେମିତି ହିଁ ଚାହାନ୍ତି। ଭଲ ଫଳ ପାଇବାକୁ ହେଲେ ପରିଶ୍ରମ କରିବାକୁ ହେବ। ପରିଶ୍ରମ ନ କରି ବସି ରହିଲେ ଈଶ୍ବର ତାଙ୍କ ମର୍ଜିରେ ଯାହା ପକାଇବେ ତାହା ନେବାକୁ ବାଧୢ ହେବ।
ଲୋକଟି କହିଲା- ପରିଶ୍ରମ କଲେ ଯଦି ସବୁ ମିଳିବ, ତେବେ ଈଶ୍ବରଙ୍କୁ ଜଣେ ଡାକିବ କାହିଁକି?
ଗୁରୁ କହିଲେ- ଭଲ ଆମ୍ବ ପାଇଁ ଲକ୍ଷ୍ୟ ସ୍ଥିର କରି ଗଛ ଚଢ଼ି ଆମ୍ବ ପାଖରେ ପହଞ୍ଚି ତୋଳିବା ଲାଗି ହାତ ବଢ଼ାଉଥିବା ବେଳେ ଗୋଡ଼ ଖସି ଜଣେ ଗଛରୁ ତଳକୁ ଖସିପଡ଼ିପାରେ। ସେଥିଲାଗି ଈଶ୍ବରଙ୍କୁ ବି ପ୍ରାର୍ଥନା କରିବା ଦରକାର। ଈଶ୍ବର ନ୍ୟାୟବନ୍ତ। ତେଣୁ ଏମିତି ଗୋଡ଼ ଖସିଯିବାର ଦୃଷ୍ଟାନ୍ତ କମ୍। ଆମ୍ବ ଲାଗି ଗଛ ଚଢ଼ିଥିବା ଅଧିକା˚ଶ ଲୋକଙ୍କୁ ଚାହିଁଥିବା ଆମ୍ବଟି ମିଳିଥାଏ।