ସମ୍ରାଟ ପ୍ରୌଢ଼ ହୋଇଯିବାରୁ ତାଙ୍କ ଗୁରୁଙ୍କ ନିକଟକୁ ଯାଇ କହିଲେ- ଗୁରୁଦେବ, ମୁଁ ସନ୍ନ୍ୟାସ ନେବାକୁ ଚାହେଁ। ବୈରାଗୀ ଭଳି ବଞ୍ଚିବାକୁ ଚାହେଁ। ମୋତେ ଅନୁମତି ଦିଅନ୍ତୁ। ମୁଁ ବନ ଗମନ କରିବି।
ଗୁରୁ କହିଲେ- ବାବୁ, ତୁମେ ଦୟା କରି ଜଙ୍ଗଲକୁ ଯାଅ ନାହିଁ। ତୁମେ ଯଦି ଯିବ, ତେବେ ତୁମେ ଏକୁଟିଆ ଗଲେ ବି ତୁମ ସହିତ ତୁମ ରାଜଧାନୀ, ସହର, ବଜାର ଗହଳିଚହଳି ସବୁ ଜଙ୍ଗଲକୁ ଯିବେ। କାରଣ ତୁମ ମନ କୋଳାହଳମୟ! ତୁମେ ବୈରାଗୀ ହେବ ବୋଲି କ’ଣ କହୁଛ? ଆଉ ଦ୍ବିତୀୟ କଥାଟି ହେଲା ମୋ ସହିତ ଚାଲ, ତୁମକୁ ଅସଲ ବୈରାଗୀ ଦେଖାଇ ଦେବି।
ଏହା କହି ଗୁରୁ ରାଜାଙ୍କୁ ଧରି ଜଣେ ଅତି ଧନୀ ବ୍ୟବସାୟୀଙ୍କ ପାଖକୁ ଗଲେ। ସେଠାକାର କାରବାର ଦେଖି ରାଜାଙ୍କ ଆଖି ଖୋସି ହୋଇଗଲା। ଗାଈ ଗୋରୁ, ଚାଷବାସ, ଲୋକବାକ ନେଇ ଅତି କୋଳାହଳମୟ ଜୀବନ। ବ୍ୟବସାୟୀ ନିଜେ ଗରାଖମାନଙ୍କ ସହିତ ମାତିଛନ୍ତି।
ଗୁରୁ ବ୍ୟବସାୟୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ- ହେଇ, ଦେଖ। ସେ ଜଣେ ପ୍ରକୃତ ବୈରାଗୀ।
ରାଜା ଅବିଶ୍ବାସର ସହିତ ଭ୍ରୂକୁଂଚନ କଲେ। ତେଣୁ ଗୁରୁ ରାଜାଙ୍କୁ ଧରି ତାଙ୍କ ପାଖକୁ ଗଲେ। ବ୍ୟବସାୟୀ ବି ଥିଲେ ଏହି ଗୁରୁଙ୍କ ଅନୁଗାମୀ। ଗୁରୁଙ୍କୁ ଦେଖି ସେ ପ୍ରଣାମ କଲେ। ରାଜାଙ୍କୁ ବି ପ୍ରଣାମ କଲେ।
ଏବେ ଗୁରୁ କହିଲେ- ଏକ ସ୍ବପ୍ନ ଦେଖିଲି। ତା’ର ପଛରେ ଥିବା ସତ୍ୟ ହେଉଛି ଆଉ ମାତ୍ର କେଇ କ୍ଷଣ ପରେ ତୁମର ମୃତ୍ୟୁ ହେବ।
ବ୍ୟବସାୟୀଙ୍କ ମୁହଁରେ କିଛି ପରିବର୍ତ୍ତନ ହେଲା ନାହିଁ। ସେ ସେଇଭଳି କଣ୍ଠରେ କହିଲେ- ମୁଁ ପ୍ରସ୍ତୁତ।
ରାଜା ଚମକି ପଡ଼ିଲେ। ସେ ବୁଝିପାରିଲେ ଯେ ସବୁ କିଛି ଛାଡ଼ି ଦେଇ ଚାଲିଯିବାକୁ ସର୍ବଦା ପ୍ରସ୍ତୁତ ଥିବା ଲୋକ ହିଁ ଅସଲ ବୈରାଗୀ।