ଜଣେ ଅତି ଧନୀ ବ୍ୟକ୍ତିଙ୍କ ଘରେ ଜଣେ ଫକିର ପହଞ୍ଚି ଅତି ଶାଣିତ ସ୍ବରରେ ‘ମୃତ୍ୟୁ ଆସୁଛି’ ବୋଲି କହି ସେଠାରୁ ଝଡ଼ ବେଗରେ ନିଷ୍କ୍ରାନ୍ତ ହୋଇଗଲେ। ଏହା ଶୁଣିବା ପରେ ଧନୀକଙ୍କ ଦେହରୁ ତ ପ୍ରଥମେ ଝାଳ ବହିଗଲା ଏବଂ ସେ କିଛି ସମୟ ନିର୍ବାକ ହୋଇ ବସି ରହିଲେ। ତା’ ପରେ ନିଜକୁ ବୁଝାଇ ସତ୍ୟକୁ ସାମନା କରିବାକୁ ସ୍ଥିର କଲେ।

Advertisment

ତା’ ପର ଠାରୁ ତାଙ୍କର ସବୁ କାମ ଓ କଥାର ଧାରା ବଦଳି ଗଲା। ମୃତ୍ୟୁ କେଉଁ କ୍ଷଣରେ ପହଞ୍ଚିଯିବ ବୋଲି ଭାବି ସେ ଅନେକ ଲୋକଙ୍କ ନିକଟରେ ତାଙ୍କର ପୂର୍ବର କର୍କଶ ବ୍ୟବହାର ଲାଗି ଦୁଃଖ ପ୍ରକାଶ କଲେ, କ୍ଷମା ମାଗିଲେ, ତାଙ୍କ କଥାରେ ଏବେ କୋମଳତା ପ୍ରକାଶ ପାଇଲା, ଧନସଂପତ୍ତି, କୋଠାବାଡ଼ି ଇତ୍ୟାଦି ପ୍ରତି ଗୋଟିଏ ନିଃସ୍ପୃହ ଭାବ ଆସିଲା; ହଠାତ୍ ସେ ଯେମିତି ସଚେତନ ହୋଇ ଉଠିଲେ ଯେ ସେ ଏହି ପୃଥିବୀରେ ଜଣେ ଅତିଥି ମାତ୍ର ଏବଂ ସେ କୌଣସି ବସ୍ତୁର ମାଲିକ ନୁହନ୍ତି। କେବଳ ସେ କାହିଁକି, କେହି ଜଣେ ହେଲେ ସୁଦ୍ଧା କୌଣସି ବସ୍ତୁର ମାଲିକ ନୁହନ୍ତି।

କିନ୍ତୁ ମୃତ୍ୟୁ ଆସିଲା ନାହିଁ। କିଛି ଦିନ ପରେ ସେ ଆଶ୍ବସ୍ତ ହୋଇ ଫକିରଙ୍କ କଥାକୁ ଭୁଲି ଯିବାକୁ ବସିଲେ। ଏତିକି ବେଳେ ତାଙ୍କ ପତ୍ନୀ ତାଙ୍କୁ ଫକିରଙ୍କ କଥାର ମର୍ମ ବୁଝାଇ ଦେଲେ।

ସେ କହିଲେ- ତୁମେ କ’ଣ ଫକିରଙ୍କ କଥାକୁ ଭୁଲ୍‌ ବୋଲି ଭାବିଛ? ସତରେ ମୃତ୍ୟୁ ଆସୁଛି। କେବଳ ତୁମ ପାଇଁ ନୁହେଁ, ସମସ୍ତଙ୍କ ପାଇଁ! ଏହା ଯେ କୌଣସି କ୍ଷଣରେ ପହଞ୍ଚି ଯାଇପାରେ। ତେଣୁ ତୁମେ ହଠାତ୍‌ ପୁଣି ନିଜକୁ ଅମର ବୋଲି ଭାବି ସେହି ଅନୁସାରେ କାମ କର ନାହିଁ। ଫକିରଙ୍କ ବାଣୀ ହଠାତ୍‌ ତୁମ ଠାରେ ଯେଉଁ ମୃତ୍ୟୁ ଚେତନା ସୃଷ୍ଟି କରିଥିଲା, ତାହା ବଳବତ୍ତର ରହୁ। ତାହା ହିଁ ତୁମକୁ ଜଣେ ପରିମାର୍ଜିତ ମଣିଷରେ ପରିଣତ କରିବ।