ଗୌତମ ବୁଦ୍ଧତ୍ବ ଲାଭ କରି ସାରିବା ପର ସମୟକୁ ନେଇ ଏହି କିଂବଦନ୍ତି।
ବୁଦ୍ଧତ୍ବର ଆଲୋକରେ ଗୌତମଙ୍କ ହୃଦୟ କନ୍ଦର ଉଦ୍ଭାସିତ ହୋଇ ଉଠିବାରୁ ହଠାତ୍ ତାଙ୍କ ସତ୍ତାକୁ ମୌନତା ଆବୋରି ବସିଲା। ନୂତନ ପ୍ରଜ୍ଞାରେ ଅବଗାହନ କରୁଥିବା ବେଳେ ସେ ଏଭଳି ବିଲୀନ ହୋଇଗଲେ ଯେ ସାତ ଦିନ ପର୍ଯ୍ୟନ୍ତ ନିରବରେ ବସି ରହିଲେ। କୁହାଯାଏ ଏହା ଦ୍ବାରା ଦେବଲୋକରେ କଂପନ ସୃଷ୍ଟି ହେଲା। କାରଣ ବୁଦ୍ଧ କହିବାର ଆବଶ୍ୟକତା ଥିଲା।
କିଂବଦନ୍ତି କହେ ଯେ ସ୍ବୟଂ ବ୍ରହ୍ମା ଓହ୍ଲାଇ ଅାସି ବୌତମଙ୍କୁ କହିବା ଲାଗି ପ୍ରବର୍ତ୍ତାଇଲେ। ବ୍ରହ୍ମା କହିଲେ ଯେ ବୁଦ୍ଧ ଯେଉଁ ଦିବ୍ୟ ଜ୍ଞାନ ଲାଭ କରିଛନ୍ତି ତାକୁ ଯଦି ସମସ୍ତଙ୍କୁ ନ ଜଣାନ୍ତି, ତେବେ ତାହା ଏକ ଦୁର୍ଭାଗ୍ୟ ଭାବେ ଗଣା ଯିବ। ତେଣୁ ବୁଦ୍ଧ କହନ୍ତୁ। ଏବଂ ତା’ ପରେ ବୁଦ୍ଧ କହିଲେ ଏବଂ ତାଙ୍କ ବାଣୀର ପ୍ରଚାର ହେଲା।
ବ୍ରହ୍ମା କହିଲେ- ଏହା ସତ ଯେ ଯିଏ କହିପାରେ ସେ କହିବାର ଅଧିକାର ପାଏ। କିନ୍ତୁ ଏହା ଅଧିକ ସତ୍ୟ ଯେ ଯିଏ ଅନନ୍ୟ ଜ୍ଞାନ ଥିବା ସତ୍ତ୍ବେ ମୌନ ରହିବାର କଳା ପାଇଯାଏ, ସେ କହିବାର ପାତ୍ରତା ବା ଯୋଗ୍ୟତା ଲାଭ କରେ। ବୁଦ୍ଧ ସେହି ସୂତ୍ରରେ କହିବା ଲାଗି ବା ମୁହଁ ଖୋଲିବା ଲାଗି ସର୍ବାଧିକ ଯୋଗ୍ୟ ବ୍ୟକ୍ତି ଥିଲେ।
କିଂବଦନ୍ତି କହେ ଯେ ତା’ ପରେ ବୁଦ୍ଧ କହିଲେ ଏବଂ ଏକ ନୂଆ ଯୁଗର ଅୟମାରମ୍ଭ ହେଲା।