ଜଣେ ଗରିବ ପରିବାରର ପିଲା ନିଜ ଚେଷ୍ଟା ବଳରେ ପ୍ରଭୂତ ଧନଶାଳୀ ହେଲା। ଏବେ ସେ ନିଜ ଇଚ୍ଛା ଅନୁସାରେ ଏକ ବଢ଼ିଆ ଜାଗାରେ ବିଶାଳ ଶଙ୍ଖ ମର୍ମର ଅଟ୍ଟାଳିକା ତିଆରି କଲା। ଘର ଭିତରଟି ବାତାନୁକୂଳିତ କଲା। ଯିବା ଆସିବା ଲାଗି ଏକାଧିକ ଗାଡ଼ି ରଖିଲା, ଚାକର ବାକର ରଖିଲା। ସୁନ୍ଦରୀ ସ୍ତ୍ରୀ ବିବାହ କଲା। ଯାହା କିଛି କରିପାରିବା କଥା, ସବୁ କରି ପକାଇଲା।
କିନ୍ତୁ ମନରୁ ଗୋଟିଏ ଭୟ ଯାଉ ନ ଥିଲା। କାରଣ ପିଲା ଦିନେ ତା ବାପା କହୁଥିଲେ, ଯେତେ ପାଇବୁ ତାକୁ ହରାଇବାର ଭୟ ସେତେ ଅଧିକ ହେବ। ତେଣୁ, କାଳେ ଦୁର୍ଭାଗ୍ୟ ଆସିବ, ସେ ଭୟ ସମୟେ ସମୟେ ମୁଣ୍ତ ଟେକିଲା। ନରମ ଗଦିରେ ବି ନିଦ ହେଲା ନାହିଁ। ଦିନେ ସେ ଏ ସମସ୍ୟା ନେଇ ଜଣେ ଗୁରୁଙ୍କ ନିକଟକୁ ଗଲା।
ସବୁ ଶୁଣିବା ପରେ ଗୁରୁ କହିଲେ- ତୋର ସମସ୍ୟା ହେଲା ତୁ ବଡ଼ ଘର, ଥାଟବାଟ, ଆରାମପ୍ରଦ ଜୀବନ ସବୁ କିଛି ହାସଲ କଲୁ ସତ, କିନ୍ତୁ ଭୁଲିଗଲୁ ଯେ ଏହି ପୃଥିବୀରେ ତୁ ଗୋଟିଏ ଅତିଥି ଭଳି ଆସିଛୁ। ତୋର ଘର ହୁଏ’ତ ରହିଥିବ, କିନ୍ତୁ ଦିନ ଆସିବ ତୁ ନ ଥିବୁ। ତେଣୁ ପ୍ରଥମ କଥା ମୋ ଘର ବା ମୋ ସଂପତ୍ତି ବୋଲି ଭାବନାରୁ ମୁକ୍ତ ହୁଅ। ସର୍ବଦା ସଚେତନ ରହ ଯେ ତୋର ଜୀବନ ଅତ୍ୟନ୍ତ ଅନିଶ୍ଚିତ। ସେମିତି ଏହା ମଧ୍ୟ ଜାଣି ରଖ ଯେ କୌଣସି ପଦାର୍ଥ ଚିରନ୍ତନ ନୁହେଁ। ତୋ ସଂପତ୍ତି, ତୋ ପରିବାର, ତୋ ଘରଦ୍ବାର ସବୁ କିଛି ଦିନେ ନା ଦିନେ ବିଲୁପ୍ତ ହେବେ। ତେଣୁ ଅସାର ଚିଜକୁ ନେଇ ଚିନ୍ତା କାହିଁକି? ଯେଉଁ ଦିନ ହୃଦ୍ବୋଧ କରିବୁ ଯେ ସବୁ କିଛି ଅସ୍ଥାୟୀ, ତୋ ମନରୁ ଭୟ ମଧ୍ୟ ଚାଲିଯିବ। କାରଣ ଯାହା ଅନିତ୍ୟ ତା’ ଲାଗି ଚିନ୍ତା କରିବା ମଧ୍ୟ ଅକାରଣ।