ଥରେ ୟୁଜିକେ ତାଙ୍କ ଅନୁଗାମୀମାନଙ୍କୁ ମୁଲ୍ଲା ନସିରୁଦ୍ଦିନଙ୍କ ଏହି କଥାଟି କହିଥିଲେ।
ଥରେ ଦେଖାଗଲା ଯେ ମୁଲ୍ଲା ଭାରି ମନ ଦୁଃଖରେ ବୁଲୁଛନ୍ତି। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। କାରଣ ମୁଲ୍ଲାଙ୍କ ତୁଳା ବେପାର ବେଶ୍ ଭଲ ଚାଲୁଥିଲା। ତାଙ୍କର ପଇସାପତ୍ର ରୋଜଗାର ଭଲ ହେଉଥିଲା। ତେଣୁ, ଏହାର ରହସ୍ୟ ଭେଦ କରିବା ସକାଶେ ମୁଲ୍ଲାଙ୍କ ପଡ଼ୋଶୀ ଫଜଲୁ ସିଧା ପହଞ୍ଚିଲା ମୁଲ୍ଲାଙ୍କ ପତ୍ନୀଙ୍କ ପାଖରେ।
ସେ ପଚାରିଲା- ମୁଲ୍ଲାଙ୍କ କ’ଣ ହୋଇଛି କି ଭାଉଜ? ସେ କାହିଁକି ମନ ଦୁଃଖରେ ବୁଲୁଛନ୍ତି। ଯାହା ପଚାରିଲେ ଖାଲି ଗରଗର ହେଉଛନ୍ତି! ବେପାରରେ କ’ଣ କିଛି ଅସୁବିଧା ହୋଇଛି କି?
ମୁଲ୍ଲାଙ୍କ ପତ୍ନୀ କହିଲେ- ଅସୁବିଧା କ’ଣ? ବେପାରରୁ ପାଞ୍ଚ ଲକ୍ଷ ଟଙ୍କା ଲାଭ ହୋଇଛି।
ଫଜଲୁ ବିସ୍ମିତ ହୋଇ କହିଲା- ତାହା ହେଲେ ପୁଣି କ’ଣ ହେଲା?
ମୁଲ୍ଲାଙ୍କ ପତ୍ନୀ କହିଲେ- ତୁମେ କିନ୍ତୁ ଏ କଥା ମୁଲ୍ଲାଙ୍କୁ ପଚାରିଲେ ସେ କହିବେ ଯେ ତାଙ୍କର ପାଞ୍ଚ ଲକ୍ଷ ଟଙ୍କା କ୍ଷତି ହୋଇଛି!
ଫଜଲୁ କହିଲା- ଏ ପୁଣି କି କଥା?
ମୁଲ୍ଲାଙ୍କ ପତ୍ନୀ କହିଲେ- ସତ! ମୁଲ୍ଲା ଭାବିଥିଲେ ଯେ ସବୁ ତୁଳା ବିକ୍ରି ହୋଇଗଲେ ଦଶ ଲକ୍ଷ ଟଙ୍କା ଲାଭ ହେବ। ସବୁ ବିକ୍ରି ହୋଇଗଲା। କିନ୍ତୁ ରାଜା ତୁଳାର ଦର ହଠାତ୍ କମାଇ ଦେବାରୁ ଲାଭ କମିଯାଇ ପାଞ୍ଚ ଲକ୍ଷ ହୋଇଗଲା। ମୁଲ୍ଲା ସେଇଟାକୁ କ୍ଷତି ହୋଇଗଲା ବୋଲି ଭାବି ମନ ଦୁଃଖରେ ବୁଲୁଛନ୍ତିି!
ୟୁଜିକେ କହିଲେ- କଥା ସେଇଠି। ଯଦି ଅଧିକ ଆଶା ରଖିବ, ତାହା ହେଲେ ଲାଭ କଲେ ବି ତାହା କ୍ଷତି ହେଲା ଭଳି ଲାଗିବ। ଆମ ସମସ୍ତଙ୍କ ଜୀବନରେ ତାହା ହିଁ ଦୁଃଖର କାରଣ। କ’ଣ ପାଇଚେ ତାହା ନ ଦେଖି କୋଉ ଆଶା ସବୁ ଅପୂରଣୀୟ ରହିଗଲା, ତାହା ଭାବି ଦୁଃଖୀ ହେବାରେ ଲାଗିଛୁ।