ଜଣେ ଦରିଦ୍ର ବ୍ୟକ୍ତିଙ୍କ ସହିତ ରାଜାଙ୍କ ଦୈବାତ୍ ମିତ୍ରତା ହେଲା। ରାଜା ତାଙ୍କୁ ଏତେ ପସନ୍ଦ କଲେ ଯେ ତାଙ୍କୁ ନିଜ ପ୍ରାସାଦରେ ରହିବାର ଓ ଚଳିବାର ବ୍ୟବସ୍ଥା କଲେ। ସେହି ବ୍ୟକ୍ତିଙ୍କ ଠାରେ ଅସାମାନ୍ୟ ପ୍ରଜ୍ଞା ଓ ବୁଦ୍ଧି ଥିବାରୁ ଅଚିରେ ସେ ରାଜାଙ୍କ ପ୍ରିୟତମ ବନ୍ଧୁ ଓ ଦିଗଦର୍ଶକରେ ପରିଣତ ହେଲେ। ଏବେ ଦିନରେ ଥରଟିଏ ବି ହେଉ ତାଙ୍କୁ ଦେଖା ନ କଲେ ରାଜାଙ୍କ ମନ ଅଶାନ୍ତ ରହୁଥିଲା।
ଦିନେ ରାଜା ସେହି ବନ୍ଧୁଙ୍କ ସହିତ ବୁଲିବାକୁ ବାହାରି ଗୋଟିଏ ଜଙ୍ଗଲ ଭିତରେ ବାଟବଣା ହୋଇଗଲେ। ସଂଧ୍ୟା ହୋଇଯିବାରୁ ଆଉ ଫେରିବାର ବାଟ ନ ଥିଲା। ତେଣୁ କ୍ଷୁଧାତୁର ରାଜା ଓ ତାଙ୍କ ବନ୍ଧୁ କିଛି ଫଳ ସଂଗ୍ରହ କରି ତାହା ଖାଇବାକୁ ସ୍ଥିର କଲେ। ରାଜା ତାଙ୍କ ବନ୍ଧୁଙ୍କୁ ନିଜେ ତୋଳିଥିବା କୋଳି ତକ ଖାଇବାକୁ ଦେଲେ। ସେ ସବୁ ଅତି ସୁସ୍ବାଦୁ ବୋଲି ବନ୍ଧୁ ବେଶ୍ ପ୍ରଶଂସା କଲେ। ସେମିତି ବନ୍ଧୁ ତୋଳିଥିବା କିଛି ଫଳ ରାଜା ଖାଇ ତା’ର ସ୍ବାଦ ଦ୍ବାରା ମୋହିତ ହେଲେ। ତେବେ ଜଙ୍ଗଲୀ ଫଳ ବିଷୟରେ ଆଗରୁ ଜାଣି ନ ଥିବା ରାଜା ନିଜେ ତୋଳିଥିବା କୋଳିର ସ୍ବାଦ ନିଜେ ଚାଖିବା ଲାଗି ଚାହି ତହିଁରୁ ଗୋଟିଏ ଖାଇ ସ୍ବୟଂ ଥରିଗଲେ। କାରଣ ସେ ସବୁ ଅତ୍ୟନ୍ତ ତିକ୍ତ ଓ ଅଖାଦ୍ୟ ଥିଲା।
ରାଜା ସେ ସବୁ ପକାଇ ଦେଇ ପଚାରିଲେ- ତୁମେ ସେ ସବୁ ଖାଇ ସୁସ୍ବାଦୁ ବୋଲି କହିଲ କେମିତି? ବନ୍ଧୁ ଜଣକ କହିଲେ- ମଣିମା, ଆପଣଙ୍କ ଯେଉଁ ହାତ ମୋତେ ଏଭଳି ସୁସ୍ବାଦୁ ଖାଦ୍ୟ ଖୁଆଇଛି, ଯାହା ଜୀବନରେ କେବେ ଖାଇ ପାରିବି ବୋଲି ଭାବି ନ ଥିଲି। ଆଜି ସେହି ହାତରୁ ଥରଟିଏ ମାତ୍ର ପିତା କୋଳି ଖାଇ ମୁଁ ପ୍ରତିବାଦ କରନ୍ତି କେମିତି?
କଥାଟି କହିସାରି ଗୁରୁ କହିଲେ- ଏହା ହେଉଚି ପ୍ରାର୍ଥନାର ପ୍ରଥମ ସୂତ୍ର। ଈଶ୍ବର ଆମକୁ ଜୀବନରେ ବହୁତ ସବୁ ଦେଇଥିବା ସତ୍ତ୍ବେ ଟିକିଏ ଦୁର୍ଭାଗ୍ୟ ଯଦି ଦିଅନ୍ତି, ଆମେ ତାଙ୍କ ଉପରେ ଅଭିମାନ ଏବଂ କ୍ଷୋଭ କରିଥାଉ। ଏବେ ଭାବ ତାହା ଉଚିତ କି?