ସାଧୁ ଓ ଚେଲା ଯାଇ ଜଣେ ରାଜାଙ୍କ ଉଆସରେ ପହଞ୍ଚିଲେ। ରାଜା ଯେମିତି ଖବର ପାଇଲେ ଯେ ଜଣେ ସାଧୁ ଓ ତାଙ୍କ ଚେଲା ଦ୍ବାର ମୁହଁରେ ସେ ସଙ୍ଗେ ସଙ୍ଗେ ସେମାନଙ୍କୁ ଭିତରକୁ ଡକାଇଲେ। ସେମାନଙ୍କୁ ଉପଯୁକ୍ତ ଆତିଥ୍ୟ ଦେବା ଲାଗି କର୍ମଚାରୀମାନଙ୍କୁ କହି ସେଠାରୁ ଚାଲିଗଲେ।
ସାଧୁ ଓ ତାଙ୍କ ଚେଲାଙ୍କୁ ଖାଇବାକୁ ଦିଆଗଲା। ସେମାନେ କେମିତି ଉପଯୁକ୍ତ ବିଶ୍ରାମ ନେବେ ତା’ର ବ୍ୟବସ୍ଥା କରାଗଲା। ବିଶ୍ରାମ ପରେ ସେମାନେ ବିଦାୟ ନେଲେ। ବାଟରେ ଚେଲାଟି ଗୁରୁଙ୍କୁ କହିଲା- ଗୁରୁ ଦେବ, ୟେ କେମିତିକା ରାଜା? ଅତିଥିଙ୍କ ସତ୍କାର କେମିତି କରାଯାଏ ତାହା ଜାଣନ୍ତି ନାହିଁ। ଆମେ ଏଠାରେ ଏତେ ସମୟ କାଟିଲେ ଅଥଚ ସେ ଥରେ ଆସି ଆପଣଙ୍କୁ ଭଲମନ୍ଦ ବାବଦରେ ପଚାରିଲେ? ସବୁ କଥା ଚାକରବାକର ହାତରେ ଦେଇ ସେ ଆମକୁ ଭୁଲିଗଲେ। ଆମେ ଅନେକ ରାଜାଙ୍କ ପାଖରେ ଅତିଥି ହୋଇଛେ। କିନ୍ତୁ କେଉଁଠି ଏମିତି ଅପଚରା ହୋଇନାହେଁ। ସତ କଥାଟି ହେଲା ଏ ରାଜାଟି ଅହଂକାରୀ।
ଗୁରୁ କହିଲେ- ତୁ ନିର୍ବୋଧ ତୁନି ହୁଅ। ରାଜାଙ୍କ କାମ ରାଜ୍ୟ ଚଳାଇବା। ସେ ଯେଉଁ ଦାୟିତ୍ବ ମୁଣ୍ତାଇଛନ୍ତି ସେ ବାବଦରେ ତୋର କିଛି ଧାରଣା ହିଁ ନାହିଁ। ଯେଉଁ ରାଜାମାନେ ନିଜେ ଆମ କଥା ବୁଝିଛନ୍ତି ସେମାନେ ସମସ୍ତେ ଭଲ। ହେଲେ, ଏ ରାଜା ବି ଭଲ। କେବଳ ଯାହା ଖରାପ, ତାହା ଅଛି ଆମ ଭିତରେ। ତୁ ରାଜାଙ୍କୁ ଅହଂକାରୀ ବୋଲି କହି ସାରିଲୁଣି କିନ୍ତୁ ନିଜର ଅହ˚କାରକୁ ଦେଖି ପାରିନାହୁଁ। ଏବେ ଗୋଟିଏ କଥା ବୁଝ ଯେ ତୁ ଯେତିକି ପାଇଲୁ ତାହା ହିଁ ତୋର ପ୍ରାପ୍ୟ। ସେଥିଲାଗି ମନେ ମନେ ଈଶ୍ବରଙ୍କୁ ଓ ଦାତାଙ୍କୁ ଧନ୍ୟବାଦ ଦେ। କାରଣ ସେତକ ବି ଅନେକଙ୍କ ଭାଗ୍ୟରେ ଜୁଟେ ନାହିଁ।