ମୁଲ୍ଲା ନସିରୁଦ୍ଦିନଙ୍କ ଗଧଟାଏ ଥିଲା। ସେ ତାକୁ ବହୁତ ଗେହ୍ଲା କରୁଥିଲେ। ଥରେ ମୁଲ୍ଲାଙ୍କ ଗାଁକୁ ଆସିଲେ ଜଣେ ଫକିର। ଫକିର ଥରେ କହୁ କହୁ କହିଲେ- ତୁମେମାନେ ଯାହାକୁ ଭଲ ପାଉଛ, ତାକୁ ବନ୍ଧନରେ ବାନ୍ଧ ନାହିଁ। ତାକୁ ମୁକ୍ତ କରିଦିଅ। ତୁମ ଭଲ ପାଇବା ନିଃସର୍ତ୍ତ ହେଉ। ଦେଖ, ଯଦି ସ୍ନେହ ଖାଣ୍ଟି, ତେବେ ସେଇ ସ୍ନେହର ବନ୍ଧନ ତାକୁ ତୁମ ପାଖକୁ ଭିଡ଼ି ଆଣିବ। ଯାହାକୁ ଭଲ ପାଅ, ତାକୁ ମୁକ୍ତ କରିଦେଲେ ହିଁ ତୁମେ ବୁଝିପାରିବ ଯେ ସ୍ନେହର ଡୋର କେତେ ଦୃଢ଼!
କଥାଟା ମୁଲ୍ଲାଙ୍କ ସ୍ତ୍ରୀଙ୍କ ମନକୁ ପାଇଗଲା। ଏହାର କିଛି ଦିନ ପରେ ଥରେ ସେ କହୁ କହୁ କହିଦେଲେ- ମୁଲ୍ଲା, ତୁମେ ଯଦି ଗଧକୁ ଭଲ ପାଅ, ତାହା ହେଲେ ତାକୁ ଛାଡ଼ି ଦିଅ। ତୁମେ ଦୁହେଁ ପରସ୍ପରକୁ ଏତେ ଭଲ ପାଅ, ସେଥିରେ ସ୍ନେହର ବନ୍ଧନ ଯଥେଷ୍ଟ।
ମୁଲ୍ଲା ମଧ୍ୟ ଫକିରଙ୍କ କଥାରେ ପ୍ରଭାବିତ ହୋଇଥିଲେ। ତେଣୁ ସ୍ନେହ କେତେ ଖାଣ୍ଟି, ତାହା ପରଖିବା ଲାଗି ଗଧକୁ ଅଗତ୍ୟା ବନ୍ଧନମୁକ୍ତ କରିଦେଲେ। ଗଧଟି ଖୋଲା ହେବା କ୍ଷଣି ଦୌଡ଼ି ଚାଲିଗଲା।
ଦିନ ଯାକ ବୁଲିବା ପରେ ଗଧଟି ହାଲିଆ ହୋଇ ବିଳମ୍ବିତ ରାତିରେ ଘରକୁ ଫେରିଲା ଓ ବୋବାଳି ଛାଡ଼ିଲା।
ମୁଲ୍ଲାଙ୍କ ପତ୍ନୀ ଏହା ଦେଖି ମହାଖୁସିରେ କହିଲେ- ମୁଲ୍ଲା, ସତରେ ତୁମ ପ୍ରତି ତୁମ ଗଧର ସ୍ନେହ ଖାଣ୍ଟି। ତାହା ହୋଇ ନ ଥିଲେ ସେ ଫେରନ୍ତା କି?
ମୁଲ୍ଲା ଏହା ଶୁଣି କହିଲେ- ସ୍ନେହ ଖାଣ୍ଟି କି ନୁହେଁ ଜାଣିନାହିଁ। କିନ୍ତୁ ଏତିକି ନିଶ୍ଚିତ ଯେ ଗଧ ହିସାବରେ ସେ ଗୋଟାଏ ଖାଣ୍ଟି ଗଧ। ତାହା ହୋଇ ନ ଥିଲେ ଥରେ ଖୋଲା ହେବାର ସୁଯୋଗ ପାଇ େସ ଆଉ ଫେରନ୍ତା କି?