ଜାପାନରେ ସମୁରାଇ ଖଡ଼୍ଗ ଚାଳନା ଶିକ୍ଷା ଦେବା ଲାଗି ଉଦ୍ଦିଷ୍ଟ ଶିକ୍ଷାଳୟକୁ ଆସିଲେ ଜଣେ ରାଜପୁତ୍ର। ସାଙ୍ଗରେ ସେ ଆଣିଥିଲେ ଅତି ମୂଲ୍ୟବାନ ଏବଂ ଉତ୍କୃଷ୍ଟ ଭାବେ ଗଢ଼ା ଏକ ଖଡ୍ଗ। ରାଜପୁତ୍ରଙ୍କ ସହିତ ଆସିଥିବା ରାଜା ଗୁରୁଙ୍କୁ ପଚାରିଲେ- ଶିକ୍ଷା ସମାପ୍ତ ହେବାକୁ କେତେ ଦିନ ଲାଗିବ?
ଗୁରୁ କହିଲେ- ଆଖି ପଲକରେ ବି ଶିକ୍ଷା ସରି ଯାଇପାରେ ବା କେତେବେଳେ କେତେବେଳେ ସାତ ଜନ୍ମ ପରେ ବି ତାହା ସମାପ୍ତ ହୋଇ ନ ପାରେ। ସବୁ ନିର୍ଭର କରୁଛି ଶିକ୍ଷାର୍ଥୀ ଉପରେ।
ରାଜା କହିଲେ- ମୋ ପୁଅ ଏକ ଚମତ୍କାର ଖଡ୍ଗ ଆଣିଛି। ଆପଣ ଦେଖି ପାରନ୍ତି।
ଗୁରୁ ହସିଲେ ଓ କହିଲେ- ତାହା ଅନାବଶ୍ୟକ। ଏହା ଖଡ୍ଗ ଚାଳନା କୌଶଳ ଶିକ୍ଷାର କଥା ନୁହେଁ। ଏହା ବୋଧ ଶକ୍ତିକୁ ଜାଗ୍ରତ କରିବାର ଦକ୍ଷତା ହାସଲର କଥା। ଏହା ହେଉଛି ସାଧନାର କଥା। ଯିଏ ସେହି ବିରଳ ଉପଲବ୍ଧି ହାସଲ କରି ପାରିବ, େସ ଶୋଇଥିବା ଅବସ୍ଥାରେ ବି ତା’ର ବୋଧ ଶକ୍ତି ଏଭଳି ଜାଗ୍ରତ ଥିବ ଯେ ଜଣେ ଅତି ସନ୍ତର୍ପଣରେ ତା’ ଉପରେ ଆକ୍ରମଣ କଲେ ସୁଦ୍ଧା ସେ ତା’ର ପ୍ରତିରୋଧ କରିବ। ସେଭଳି ଯୋଦ୍ଧା କାଠ ତିଆରି ତରବାରିରେ ମଧ୍ୟ ଜଗତ୍ ଉପରେ ବିଜୟ ଲାଭ କରି ପାରିବ।
ତା’ ପରେ ଗୁରୁ କହିଲେ- ସମୁରାଇ ଖଡ୍ଗ ଚାଳନା ଶିକ୍ଷା ଦେଉଥିବା ଶିକ୍ଷାଳୟକୁ କୁହାଯାଏ ‘ଈଶ୍ବରଙ୍କ ଘର’। ତା’ର କାରଣ କ’ଣ ଜାଣନ୍ତି? ତା’ର କାରଣ ହେଲା ଏହି ଶିକ୍ଷା ଜଣକୁ କେବଳ ଅଦ୍ବିତୀୟ ତରବାରି ଯୋଦ୍ଧାରେ ପରିଣତ କରି ନ ଥାଏ, ଏହା ତାହାର ବୋଧ ଶକ୍ତିକୁ ଏଭଳି ଜାଗ୍ରତ କରିଥାଏ ଯେ ଈଶ୍ବରଙ୍କ ସହିତ ତା’ର ମିଳନ ଘଟିଥାଏ।