ଗୁଜବର ରହସ୍ୟ

ଜଣେ ଯୁବକ ସଦ୍‌ଗୁରୁଙ୍କ ଠିକଣା ନେଇ ଏକ ଗାଁରେ ପହଞ୍ଚିଲା। ଗାଁ ମୁଣ୍ଡରେ ସେ ଜଣେ ବ୍ୟକ୍ତିଙ୍କୁ ସେହି ଗୁରୁଙ୍କ ବାବଦରେ ପଚାରିବାରୁ ବ୍ୟକ୍ତି ଜଣକ ଗୁରୁଙ୍କ ବିରୋଧରେ ବିଷୋଦ୍‌ଗାର କରିବାକୁ ଲାଗିଲେ। ଯୁବକଟି ତାହା ଶୁଣି ବିଚଳିତ ହେଲା, ଯଦିଓ ଗୁରୁଙ୍କ ପାଖକୁ ଗଲା। କିନ୍ତୁ ଯାହା ତାକୁ ବିସ୍ମିତ କଲା ତାହା ହେଲା ଯେଉଁ ବ୍ୟକ୍ତି ଗୁରୁଙ୍କ ବିଷୋଦ୍‌ଗାର କରୁଥିଲା, ତାକୁ ସେ ସେହି ଆଶ୍ରମରେ ଦେଖିଲା ଏବଂ ସେ ଗୁରୁଙ୍କ ଅତି ପ୍ରିୟପାତ୍ର ଥିବା ଭଳି ଲାଗିଲା। ଯୁବକଟି ଏହା ଦେଖି ଅତ୍ୟନ୍ତ ରୁଷ୍ଟ ହୋଇ ଗୁରୁଙ୍କୁ ସେ ବିଷୟରେ କହିବାରୁ ଗୁରୁ କହିଲେ- ତୁମେ ସେ ବିଷୟରେ ମୁଣ୍ଡ ଖେଳାଅ ନାହିଁ।

ଯୁବକଟି କିନ୍ତୁ ବିଚଳିତ ହେଲା। ସେ ଭାବିଲା ଯେ ଗୁରୁଙ୍କର କିଛି ଅସହାୟତା ଥିବ, ଯେଉଁଥି ଲାଗି ଏଭଳି କୃତଘ୍ନକୁ ଜାଣିଶୁଣି ସହ୍ୟ କରୁଛନ୍ତି। ତେଣୁ ସେ ସେହି ବ୍ୟକ୍ତିଙ୍କ ସହିତ ସିଧା ମୁକାବିଲା କଲା। ବ୍ୟକ୍ତିି ଜଣକ ମଧ୍ୟ କହିଲେ- ତୁମେ ଏଥିରେ ମୁଣ୍ଡ ଖେଳାଅ ନାହିଁ।

ଯୁବକଟି କିନ୍ତୁ ଥୟ ଧରି ପାରିଲା ନାହିଁ। ସେ ଆଶ୍ରମ ଛାଡ଼ି ଅନ୍ୟ ଗୁରୁଙ୍କ ପାଖକୁ ଯିବାକୁ ସ୍ଥିର କଲା। ଏହା ଜାଣିବା ପରେ ଗୁରୁ ତାକୁ ବିଦାୟ ଦେଲେ ଓ କହିଲେ- ବାବୁ ଏବେ ତୁମ ପ୍ରଶ୍ନର ଉତ୍ତର ଶୁଣ। ସେ ବ୍ୟକ୍ତି ମୋର ପ୍ରିୟତମ ଶିଷ୍ୟ। ତାଙ୍କର ମୋ ଉପରେ ଅନେକ ଉପକାର। ସେ ମୋ ବିରୋଧରେ ଗୁଜବ ସୃଷ୍ଟି କରନ୍ତି ବୋଲି ମୋ ପାଖକୁ ଆସୁଥିବା ଅନେକ ଯୁବକ ଅନ୍ୟ ଆଡ଼କୁ ଚାଲିଯାଆନ୍ତି। କେବଳ ସତ୍ୟାନିସନ୍ଧିତ୍ସୁମାନେ କୌଣସି କଥାକୁ ଖାତିର ନ କରି ମୋ ପାଖକୁ ଆସନ୍ତି, ମୋ କଥା ମାନନ୍ତି ଓ ଏଠାରେ ରହନ୍ତି ଓ ସାଧନା କରନ୍ତି। ତୁମର ସତ୍ୟ ପ୍ରତି ଆଗ୍ରହ ନାହିଁ। ତେଣୁ ତୁମେ ଏବେ ଯାଅ।

ସମ୍ବନ୍ଧିତ ଖବର