ଥରେ ସନ୍ଥ ଫିରୋଜ ତାଙ୍କ କୁଡ଼ିଆରେ କିଛି ଶିଷ୍ୟଙ୍କ ସହିତ ବସିଥିବା ବେଳେ କବାଟରେ କାହାର କରାଘାତ ଶୁଣିଲେ।
ଶିଷ୍ୟମାନଙ୍କ ଭିତରୁ କେହି ଜଣେ ହୋଇଥିଲେ ଭିତରୁ ପଚାରି ଥାଆନ୍ତା- କିଏ ସେ କବାଟ ବାଡ଼ଉଛ? କିନ୍ତୁ ଫିରୋଜ ପଚାରିଲେ ତାହାର ଓଲଟା।
ଫିରୋଜ ପଚାରିଲେ- କାହାକୁ ଖୋଜୁଛ?
ବାହାରେ ଥିବା ବ୍ୟକ୍ତି ଉତ୍ତର ଦେଲେ ଫିରୋଜଙ୍କୁ ଖୋଜୁଛି।
ଫିରୋଜ ଏହା ଶୁଣି ଜୋରରେ ହସି ଉଠିଲେ। କିଛି ସମୟ ପରେ ପଚାରିଲେ- ତୁମେ କିଏ?
ବାହାରୁ ଉତ୍ତର ଆସିଲା- ରସିଦ।
ଏବେ ଫିରୋଜ ଆହୁରି ଜୋରରେ ହସିବାକୁ ଲାଗିଲେ। ବାହାରେ ଥିବା ରସିଦ ଅଗତ୍ୟା ଫେରିଗଲା ଏବଂ ଅନ୍ୟମାନଙ୍କୁ କହିଲା- ଫିରୋଜ ପାଗଳ ହୋଇ ଯାଇଛନ୍ତି।
ଫିରୋଜଙ୍କୁ ତାଙ୍କ ଶିଷ୍ୟମାନେ ମଧ୍ୟ ପଚାରିଲେ- ଆପଣ ଏମିତି ହସିଲେ କାହିଁକି?
ଫିରୋଜ କହିଲେ- ମୁଁ ଏ ପର୍ଯ୍ୟନ୍ତ ଫିରୋଜ କିଏ ବୋଲି ଖୋଜୁଛି, ଅଥଚ ପାଉନାହିଁ, ସେ ଭାଇ ଖୋଜି ଖୋଜି ମୋ ପାଖକୁ ଆସିଛି! ପୁଣି ଦେଖ, ସେ କିଏ ବୋଲି ପଚାରିବାରୁ କହୁଛି ରସିଦ୍, ସତେ ଯେମିତି ସେ ରସିଦକୁ ଖୋଜି ପାଇ ସାରିଛି!
ଏ କଥାର ମର୍ମକୁ ଅନେକ ଶିଷ୍ୟ ବୁଝିପାରିଲେ ନାହିଁ। କିନ୍ତୁ ଯେଉଁ ଅଳ୍ପ କେଇ ଜଣ ବୁଝିଲେ ସେମାନେ ଜାଣିଲେ ଯେ ଫିରୋଜ ଆତ୍ମଜ୍ଞାନର ରହସ୍ୟ କଥା କହୁଛନ୍ତି। ସେ କହୁଛନ୍ତି ଯେ ଆମେ ନିଜ ପରିଚୟକୁ ‘ଆମେ’ ବୋଲି ଭାବୁ। କିନ୍ତୁ ଆମ ଭିତରେ କେତେ ବ୍ୟକ୍ତିତ୍ବ, କେତେ ସତ୍ତା କେତେ ପରିଚୟ ପରସ୍ତ ପରସ୍ତ ହୋଇ ରହିଛି, ତା’ର କଳନା କରିବା ମୁସ୍କିଲ। ତା’ ଭିତରେ ପ୍ରକୃତ ‘ଆମେ’କୁ ଖୋଜି ପାଇବା ତ ସବୁଠାରୁ ଅଧିକ ଦୁରୂହ ବ୍ୟାପାର।