ଈଶ୍ବର ରକ୍ଷା କରନ୍ତି

କଥା ପ୍ରସଙ୍ଗରେ ୟୁଜିକେ କହିଲେ- ଆମେମାନେ ଈଶ୍ବରଙ୍କୁ ବିଶ୍ବାସ କରୁ ବୋଲି କହୁଥିଲେ ସୁଦ୍ଧା ତାଙ୍କ ଉପରେ ପୂର୍ଣ୍ଣ ନିର୍ଭର କରି ପାରୁ ନ ଥିବାରୁ ଆମ ମନରେ ଭୟ ଉପୁଜେ। ଏହାକୁ ବୁଝାଇବାକୁ ଯାଇ ସେ କଥାଟିଏ କହିଲେ।

ପୈଗମ୍ବର ମହମ୍ମଦଙ୍କ ଜୀବନ ଉପରେ ବିପଦ ଘନେଇ ଆସୁଥିବାରୁ ସେ ମକ୍କାରୁ ମଦ୍ଦିନାକୁ ପଳାୟନ କଲେ। କିନ୍ତୁ ତାଙ୍କୁ ହତ୍ୟା କରିବା ଲାଗି ଶତ୍ରୁ ପକ୍ଷ ତାଙ୍କ ପିଛା କଲେ। ମହମ୍ମଦଙ୍କ ସହିତ ଥାଆନ୍ତି ତାଙ୍କର ଜଣେ ମାତ୍ର ଶିଷ୍ୟ, ଯାହାଙ୍କ ନାମ ଅବୁ ବକର। ପ୍ରାଣ ରକ୍ଷା ଲାଗି ଯେତେବେଳେ ଆଉ କିଛି ଉପାୟ ନ ମିଳିଲା ସେମାନେ ଏକ ଗୁମ୍ଫା ମଧ୍ୟରେ ଯାଇ ଲୁଚିଗଲେ। ସାଙ୍ଗେ ସାଙ୍ଗେ ତାଙ୍କ ପଛରେ ଅନୁଧାବନ କରୁଥିବା ଆତତାୟୀମାନେ ପହଞ୍ଚିଗଲେ। ସେମାନେ ମଧ୍ୟ ସେହି ଗୁମ୍ଫା ପାଖରେ ହିଁ ଅଟକି ଯାଇ ଖୋଜିବାରେ ଲାଗିଲେ। ଗୁମ୍ଫା ମଧ୍ୟରୁ ଏହା ଦେଖି ଭୟରେ କଂପୁଥିବା ଅାବୁ ବକର ଚାପା କଣ୍ଠରେ ପୈଗମ୍ବର ମହମ୍ମଦଙ୍କୁ କହିଲେ- ହଜରତ, ଆମେ ଦୁହେଁ ଏବେ ମରିବା ନିଶ୍ଚିତ।

ଏହା ଶୁଣି ମହମ୍ମଦ ଟିକିଏ ହସିଦେଲେ। ତାଙ୍କ ମୁହଁରେ ତିଳେ ମାତ୍ର ଭୟ ନ ଥିଲା। ସେ କହିଲେ- ଆମେ ଦୁଇ ଜଣ କେଉଁଠି? ଏଠାରେ ତ ଆମେ ତିନି ଜଣ ଅଛୁ। ସେହି ତୃତୀୟ ଜଣକ ଆମକୁ ରକ୍ଷା କରିବେ ଓ ଆମ ସହିତ ସର୍ବଦା ରହିବେ।

କିଛି ସମୟ ପରେ ଆତତାୟୀମାନେ ବିଫଳ ମନୋରଥ ହୋଇ ଫେରିଗଲେ। ଆବୁ ବକର ଏବେ ବୁଝି ପାରୁଥିଲେ ପୈଗମ୍ବରଙ୍କ ଉକ୍ତିର ସତ୍ୟତା। ଈଶ୍ବରଙ୍କ ଉପରେ ନିର୍ଭର କରି ସବୁ କିଛି ଛାଡ଼ି ଦେଲେ ସେ ହିଁ ରକ୍ଷା କରନ୍ତି।

ସମ୍ବନ୍ଧିତ ଖବର