ମୁଲ୍ଲା ନସିରୁଦ୍ଦିନଙ୍କ ଅହଂକାର ସୀମା ଟପିଗଲା। ସେ ସବୁ ବେଳେ କହିବାକୁ ଲାଗିଲେ ଯେ ସେ ଯାହା ଜାଣିଛନ୍ତି ବା କହୁଛନ୍ତି, ତାହା ଠିକ୍। ଆଉ ସବୁ ଭୁଲ୍।
ଦିନକର କଥା। ମୁଲ୍ଲାଙ୍କ ପତ୍ନୀ ବାପଘରକୁ ଯାଇ ଥାଆନ୍ତି। ତେଣୁ ମୁଲ୍ଲା ସନ୍ଧ୍ୟା ବେଳେ ଘରେ ତାଲା ପକାଇ ବାହାରକୁ ବୁଲିବାକୁ ଗଲେ। ଫେରିଲା ବେଳକୁ ଟିକିଏ ଡେରି ହୋଇଗଲା। ସେହି ସମୟେର ବିଜୁଳି ଚାଲିଗଲା ଏବଂ ଚାରିଆଡ଼ ଅନ୍ଧାର ହୋଇଗଲା। ମୁଲ୍ଲା ଅଣ୍ଡାଳି ଅଣ୍ଡାଳି ତାଲା ଖୋଲିବାର ଚେଷ୍ଟା କଲେ। କିନ୍ତୁ କୌଣସି କାରଣରୁ ତାଲା ଖୋଲିଲା ନାହିଁ। ମୁଲ୍ଲା ତା’ ପଛରେ ଲାଗି ଝାଳନାଳ ହେଲେ ପଛକେ କୌଣସି ସୁଫଳ ମିଳିଲା ନାହିଁ।
ପଡ଼ିଶା ଫଜଲୁ ଶବ୍ଦ ଶୁଣି ପଚାରିଲା- ମୁଲ୍ଲା କ’ଣ ହେଲା?
ମୁଲ୍ଲା କହିଲେ- ତାଲା ଖୋଲୁନି।
ଫଜଲୁ କହିଲା- ଭୁଲ୍ ଚାବି ହେଇଥିବ, ଦେଖ।
ମୁଲ୍ଲା ଚିଡ଼ି ଯାଇ କହିଲେ- ମୋର କେବେ ଭୁଲ୍ ହୁଏ ଦେଖିଛୁ? ଚାବି ଠିକ୍ ଅଛି।
ଫଜଲୁ କହିଲା- ହଉ, ରାତି ଅଧିକ ହେଲାଣି। ଗୋଟିଏ କାମ କର। କାଳେ ଭଲ ମନ୍ଦ ଅଛି ବୋଲି ଭାଉଜ ମୋ ପାଖରେ ଡୁପ୍ଲିକେଟ୍ ଚାବିଟିଏ ରଖିଥାଆନ୍ତି। ତାକୁ ନିଅ ଆଉ ଦେଖ। ତାଲା ଖୋଲି ଯାଇପାରେ।
ଏଥର ମୁଲ୍ଲା ରାଗିଗଲେ ଏବଂ ଜୋର ପାଟିରେ କହିଲେ- ଚୁପ୍ କର। କହିଲି ପରା ଚାବି ଠିକ୍ ଅଛି। ଯଦି ପାରିବୁ ତ ଆଉ ଗୋଟିଏ ତାଲା ପଠା। ସବୁ ଦୋଷ ଏ ତାଲାର।
ଫଜଲୁ କ’ଣ କହିବ ବୁଝି ପାରିଲା ନାହିଁ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର