ଥରେ ଜଣେ ଖଳ ଲୋକ ଫେରାଦ ହେଲା ଯେ ଅମକ ଲୋକ ରାଜାଙ୍କ ବିରୋଧରେ ଷଡ୍ଯନ୍ତ୍ର କରୁଛି। ମୁଲ୍ଲା ନସିରୁଦ୍ଦିନ ଥିଲେ ବିଚାରକ। ଅଭିଯୋଗ ମାତ୍ରକେ ସେଇ ଲୋକଟି ବନ୍ଧା ହୋଇ ଆସିଲା। ଏହା ଦେଖି ତା’ର ପତ୍ନୀ ବିକଳ ହୋଇ ମୁଲ୍ଲା ନସିରୁଦ୍ଦିନଙ୍କ ପାଖକୁ ଯାଇ କାନ୍ଦି କାନ୍ଦି କହିଲା- ଆଜ୍ଞା, ମୋ ସ୍ବାମୀ ନିର୍ଦୋଷ। ବଦମାସ ଲୋକଟି ପୁରୁଣା ଶତ୍ରୁତାରୁ ଏମିତି ଅଭିଯୋଗ ଆଣିଛି।
ମୁଲ୍ଲା ତତ୍କ୍ଷଣାତ୍ ସେଇ ଲୋକର ଗାଁକୁ ଲୋକ ପଠାଇ ବୁଝିଲେ ଯେ ଅଭିଯୁକ୍ତଟି ନିରୀହ ଏବ˚ ଅଭିଯୋଗକାରୀ ମହା ଦୁଷ୍ଟ।
ବିଚାର ବେଳେ ମୁଲ୍ଲା ଅଭିଯୋଗକାରୀକୁ ଡକାଇଲେ। ମୁଲ୍ଲା ତାକୁ ପଚାରିଲେ- ତୁମେ କେମିତି ଜାଣିଲ ଯେ ସେ ଷଡ୍ଯନ୍ତ୍ର କରୁଛି ବୋଲି?
ଉତ୍ତର ମିଳିଲା- ଏହି ଲୋକ ଜଣେ ଅପରିଚିତ ସାଙ୍ଗେ ଗୋଟିଏ ପାଚେରି ପାଖରେ ଫୁସ୍ଫୁସ୍ ହୋଇ ଏହି ବିଷୟରେ କଥା ହେଉଥିଲା। ମୁଁ ପାଚେରି କାନ୍ଥ ପଛ ପଟେ ଥାଇ ସବୁ ଶୁଣିଛି।
ମୁଲ୍ଲା ପଚାରିଲେ- କଥା ହେଉଥିବା ଦେଖିଛ କି?
ଅଭିଯୋଗକାରୀ କହିଲା- ଆଜ୍ଞା ମୁଁ ପାଚେରି ପଛ ପଟେ ଥିବାରୁ କେବଳ ଶୁଣିଛି। ତେବେ ଟିକିଏ ଉଣ୍ତି ଦେଖିବାକୁ ପାଇଲି ଯେ ପାଚେରି ପଛରେ ଏ ଦୁଇ ଜଣ ହିଁ ଗପୁଥିଲେ।
ମୁଲ୍ଲା କହିଲେ- ନା, ସେମିତି କଥା ଚଳିବ ନାହିଁ। ତୁମ କାନ ଶୁଣିଛି ସତ, କିନ୍ତୁ କାନ ଦେଖିନାହିଁ। ତୁମ ଆଖି ଦେଖିଛି ସତ, କିନ୍ତୁ ଶୁଣିବାର କ୍ଷମତା ତା’ର ନାହିଁ। ତେଣୁ ତୁମ ଅଭିଯୋଗର କୌଣସି ମୂଲ୍ୟ ନାହିଁ।