କଥାଟିଏ ଯାଯାବର, ମଣିଷ ପାଇଁ ପ୍ରସ୍ତୁତି

ତରୁଣ ସେନାପତି ଥିଲେ ଜଣେ ବିଚକ୍ଷଣ ତୀରନ୍ଦାଜ। ବୈଦ୍ୟୁତିକ ଗତିରେ ସେ ତୂଣୀରରୁ ଶର ବାହାର କରି ବିନ୍ଧି ଲକ୍ଷ୍ୟଭେଦ କରି ପାରୁଥିଲେ। ସେନାପତିଙ୍କର ଥିଲେ କିଛି ଶତ୍ରୁ। ସେମାନେ ସେନାପତିଙ୍କୁ ହତ୍ୟା କରିବାକୁ ତାଙ୍କ ନିକଟତମ ଭୃତ୍ୟକୁ ହାତ କଲେ। ଦିନେ ସେଥିଲାଗି ସୁଯୋଗ ବି ଜୁଟିଗଲା। ସେନାପତି ଏକ ଦୂର ସ୍ଥାନକୁ ସେଇ ଭୃତ୍ୟ ସହିତ ଯାତ୍ରା ଆରମ୍ଭ କଲେ। ଷଡ୍‌ଯନ୍ତ୍ରକାରୀମାନେ ସ୍ଥିର କଲେ ଯେ ସେଇ ବାଟରେ ପଡୁଥିବା ନିଘଞ୍ଚ ଜଙ୍ଗଲରେ ସେନାପତି କ୍ଲାନ୍ତ ହୋଇ ନିଦରେ ଶୋଇଗଲେ, ଭୃତ୍ୟ ତାଙ୍କୁ ହତ୍ୟା କରିବ। ଦୋଷ ଜଙ୍ଗଲୀ ପଶୁଙ୍କ ନାମରେ ଯିବ। ନିର୍ଦ୍ଧାରିତ ଦିନରେ ସେନାପତି ଭୃତ୍ୟ ସହିତ ଘୋଡ଼ା ପିଠିରେ ବସି ଯାତ୍ରା ଆରମ୍ଭ କଲେ। ସେମାନେ ଜଙ୍ଗଲ ଭିତରକୁ ପ୍ରବେଶ କଲେ। କିଛି ବାଟ ପରେ ସେନାପତି ହଠାତ୍‌ ଅଟକି ଗଲେ। କାରଣ ତାଙ୍କ ବାଟ ଓଗାଳି ବସିଥିଲା ମହାବଳ ବାଘ। ବାଘ ଲାଞ୍ଜ ପିଟୁଥିଲା ଏବ˚ ଆକ୍ରମଣ ଲାଗି ଉଦ୍ୟତ ହେଉଥିଲା। ଭୃତ୍ୟ କହିଲା- ଆଜ୍ଞା, ତୀର ବିନ୍ଧି ୟାକୁ ଶେଷ କରନ୍ତୁ। ସେନାପତି ଭୃତ୍ୟକୁ ଚୁପ୍‌ ରହିବାକୁ ଇଙ୍ଗିତ କରି ଅପଲକ ଚକ୍ଷୁରେ ବାଘର ଆଖି ସହ ଆଖି ମିଳାଇ ଚାହିଁ ରହିଲେ। କିଛି ସମୟ ପରେ ବାଘ ପଛକୁ ହଟିଲା। ଭିଡ଼ିମୋଡ଼ି ହୋଇ ଜଙ୍ଗଲ ଭିତରକୁ ଚାଲିଗଲା। ଭୃତ୍ୟ ସ୍ବସ୍ତିରେ ନିଃଶ୍ବାସ ମାରିଲା। କିଛି ସମୟ ପରେ ଏକ ସ୍ଥାନରେ ଗଛ ମୂଳରେ ସେନାପତି ବିଶ୍ରାମ ନେବାକୁ ସ୍ଥିର କଲେ। କ୍ଲାନ୍ତ ହୋଇଥିବାରୁ ସେ ଶୋଇଯିବାକୁ ଭାବିଲେ। କିନ୍ତୁ ତା ପୂର୍ବରୁ ସେ ନିଜ ଧନୁରେ ତୀର ଯୋଖି ହାତରେ ତାକୁ ଧରି ଶୋଇଲେ। ଭୃତ୍ୟ ପଚାରିଲା- ଆପଣ ବାଘ ସାମନାରେ ଧନୁ ଛୁଇଁଲେ ନାହିଁ। ଅଥଚ ଏଠି ଏମିତି ଶୋଉଛନ୍ତି ଯେମିତି ଏହା ଏକ ଯୁଦ୍ଧ କ୍ଷେତ୍ର। ସେନାପତି କହିଲେ- ବାଘର ଚରିତ୍ର ନିର୍ମଳ। ତାର ଆଚରଣରୁ ଜାଣି ହେବ ସେ କ’ଣ କରିବାକୁ ଯାଉଛି। ତେଣୁ ତାକୁ ଭୟ ନାହିଁ। କିନ୍ତୁ ମଣିଷ ଅନେକ ସମୟରେ ଯାହା ଦେଖାଯାଏ, ତାର ପୂରା ବିପରୀତ କାମଟି କରିପାରେ। ତେଣୁ ତୁମେ ଖରାପ ଭାବ ନାହିଁ, ମଣିଷ ପାଖରେ ଥିଲେ ମୁଁ ପୂରା ପ୍ରସ୍ତୁତ ହୋଇ ଶୋଇବାକୁ ଯାଏ।

ସମ୍ବନ୍ଧିତ ଖବର